ଗୋଟିଏ ଯୁଗର ଅନ୍ତ : ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥିବ ଶରୀର

କଟକ(କେନ୍ଯୁଜ୍): ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥିବ ଶରୀର। କଟକ ସତୀଚୌରା ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ଅମ୍ଲାନ ମୁଖାଗ୍ନି ଦେଇଥିଲେ। ତାଙ୍କ ବାସଭବନରୁ ପାର୍ଥିବ ଶରୀର ବାହାରି କଟକ ରାମଗଡ଼ରେ ଥିବା ଆଉ ଏକ ଘରେ ଶେଷ ଦର୍ସନ ପାଇଁ ରଖାଯାଇଥିଲା। ସେଠାରୁ ପୁଣି ଶୋଭାଯାତ୍ରାରେ କଟକ ସତୀ ଚୌରାକୁ ନିଆଯାଇଥିଲା।
ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଓଲିଭଡର ବରିଷ୍ଠ ଅଭିନେତା ମିହିର ଦାସ । ଗତ କିଛି ମାସ ଧରି କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ । ମିହିର ଦାସଙ୍କ ଅବର୍ତ୍ତମାନରେ ଓଡ଼ିଶା ସିନେମା ଜଗତରେ ସୃଷ୍ଟି ହୋଇଛି ଅପୂରଣୀୟ ଶୂନ୍ୟସ୍ଥାନ ।
ତିନିଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକୀରେ ନିଜର ଅଭିନୟ ପ୍ରତିଭା ଦ୍ୱାରା ଘରେ ଘରେ ପରିଚିତ ଥିଲେ । ଉଚ୍ଚ କୋଟିର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଏକାଧିକ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ମିହିର ଦାସ । ସିନେଜଗତର ବହୁ ବରିଷ୍ଠ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ନିର୍ଦ୍ଦେଶକ ମିହିର ଦାସଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।