ପରିବା ଦର ଶୁଣି କିଣିବାକୁ ଲାଗୁଛି ଡର: ଯାହାକୁ ଛୁଇଁବ ୮୦, ଟମାଟୋ ୧୦୦

ଭୁବନେଶ୍ୱର : ନିୟନ୍ତ୍ରଣ ବାହାରେ ପରିବା ଦର । ଖାଉଟିଙ୍କ ହାଣ୍ଡିଶାଳକୁ ମହଙ୍ଗା ମାଡ ।‌  ବଜାରରେ ପରିବା ଦେହରେ ହାତ ମାରିବାକୁ ଭୟ ଲାଗିଲାଣି । ଦର ପଚାରି ପଚାରି ଏମୁଣ୍ଡରୁ ସେ ମୁଣ୍ଡ ପାର ହୋଇଯାଉଛି, ହେଲେ ପରିବା କିଣି ହେଉନି । ଶ୍ରାବଣ ପ୍ରଥମ ସପ୍ତାହରୁ କଞ୍ଚା ପରିବା ଦର ଉପରମୁହାଁ ରହିଛି ।‌  ଏହି ମାସରେ ଅଧିକାଂଶ ଲୋକ ନିରାମିଷ ଭୋଜନ ଉପରେ ନିର୍ଭର କରିବେ । ଗତ ଦୁଇ ମାସରୁ ଊର୍ଦ୍ଧ୍ବ ଦିନ ହେଲାଣି ପନିପରିବା ଦର ଉପର ମୁହାଁ ହୋଇ ରହିଛି । ଦର ଖସିବାର ନା ଧରୁନାହିଁ । ହଜାର ଟଙ୍କାରେ ବ୍ୟାଗ ଫୁଲ ହେଉନାହିଁ ।‌ ଏପରି ଅବସ୍ଥା ଉପୁଜିଛି ଯେ, ଗ୍ରାହକ ପନିପରିବା କିଣିବାକୁ ଡରିଲେଣି ।‌ ଯେଉଁଠି କିଲୋ କିଲୋ କଞ୍ଚା ପରିବା ହାଣ୍ଡିଶାଳକୁ ବୋହି ନେଇଯାଉଥିଲେ ଗ୍ରାହକ, ଏବେ ଶହେ ଅଢେଇଶହରେ କାମ ଚଳାଉଛନ୍ତି ।‌

ଖାସ କରି ଟମାଟୋ ଦର ଖାଉଟିଙ୍କୁ ଅଧିକ ବାଧୁଛି । ଦର ୧୦୦ ଟଙ୍କା ଅତିକ୍ରମ କରିଥିବାରୁ ଟମାଟୋ କିଣିବାକୁ ସାଧାରଣ ଖାଉଟିଙ୍କ ହାତ ଯାଉନାହିଁ । ଯେହେତୁ ଶ୍ରାବଣ ମାସ ଚାଲିଛି ସାଧାରଣତଃ ସାଧା ଖାଇବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି ।‌  ଆଉ ସଦା ତରକାରୀର ସ୍ୱାଦ ଟମାଟୋ ବିନା ଫିକା ।‌  ସେପଟେ ପରିବା ବଜାରରେ ଟମାଟୋ ନଥିବା ବେଳେ ଏହାର ଦର ମଧ୍ୟ ଉପର ମୁଁହା ରହିଛି ।  ଭୁବନେଶ୍ୱର ଏକ ନମ୍ୱର ପରିବା ହାଟରେ ଟମାଟୋ ଦର ଶହେ ଟଙ୍କାରେ ପହଞ୍ଚିଛି । ସେହିଭଳି ରାଜ୍ୟର ଅନ୍ୟ ପ୍ରମୁଖ ସହରର ଏହି ଦର ୮୦ରୁ ୯୦ ଟଙ୍କା ରହିଛି ।

ଖାଲି ଟମାଟୋ କଣ, କଞ୍ଚା ପନିପରିବା ଭିତରେ ବିନ ଓ ସଜନା ଛୁଇଁ  ୮୦ ରୁ ୧୦୦ ରହିଥିବା ବେଳେ ଦେଶୀ ପୋଟଳ ୪୦,ବାଇଗଣ ୫୦, କଞ୍ଚା କଦଳୀ ପିସ ୧୦ ଟଙ୍କା, ଭଣ୍ଡା କିଲୋ ୩୦ ଟଙ୍କାରେ ବିକ୍ରି ହେଉଛି ।‌  ଅଦା, ରସୁଣ କଥା ନ କହିବା ଭଲ ।‌  ଅଦା କିଲୋ ୧୮୦ ରହିଥିବା ବେଳେ, ରସୁଣ ୨୦୦ ଟଙ୍କା ରହିଛି  ।‌ ଫଳରେ ଦର ବଢ଼ୁଥିବାରୁ କେବଳ ଯେ ଖାଉଟୀ, ତା’ନୁହେଁ ।  ବ୍ୟବସାୟୀ ବି ପ୍ରଭାବିତ। ରାଜ୍ୟ ବାହାରୁ ପରିବାର ଆମଦାନୀ ହେଉଥିବା ବେଳେ, ଆବଶ୍ୟକ ଅନୁଯାୟୀ ମାଲ ଆସିପାରୁ ନାହିଁ ବୋଲି ବ୍ୟବସାୟୀ ମାନେ କହିଛନ୍ତି ।‌