ଏକା ସାଙ୍ଗେ ନଈରେ ଭାସିଗଲେ ମା’ ଝିଅ, ମିଳିଲା ମହିଳାଙ୍କ ମୃତଦେହ

କୋରାପୁଟ: ଉଛୁଳା ନଈରେ ଭାସିଗଲେ ମା’ ଝିଅ । ମହିଳା ଜଣକ ଗର୍ଭବତୀ ଥିଲେ କିନ୍ତୁ ତାଙ୍କ ସହ ଏମିତି ଅଘଟଣ ଘଟିବ କେହି କେବେ ଭାବିନଥିଲେ । ବର୍ଷା ଦିନରେ ନଈର ଜଳ ସ୍ତର ବଢ଼ୁଛି । ଏହି ସମୟରେ ମା’ ଝିଅ ଶୌଚ ହେବା ପାଇଁ ନଦୀ ଭିତରକୁ ଯାଇଥିଲେ । କିନ୍ତୁ ନଦୀର ଅକାତ ଅକାତ ପାଣି ଦୁଇ ଜଣଙ୍କୁ ନଦୀ ଗର୍ଭରେ ଭସାଇ ନେଲା ।

କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଝଂଜାବତି ନଦୀରେ ୮ମାସର ଗର୍ଭବତୀ ମହିଳା ଓ ତାଙ୍କ ୬ ବର୍ଷର ଝିଅ ଭାସିଯାଇଥିଲେ । ଗତକାଲି ଶୌଚ ହେବା ପାଇଁ ନିକଟସ୍ଥ ଝଂଜାବତି ନଦୀକୁ ଯାଇଥିବା ବେଳେ ଏମିତି ଅଘଟଣ ଘଟିଛି । ଗର୍ଭବତୀ ମହିଳା ନାରାୟଣପାଟଣା ଥାନା ଡୋକରିଘାଟି ଗାଁର ରାମ ତାଡିଂଙ୍କ ସ୍ତ୍ରୀ ମତି ତାଡିଂ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ସ୍ଥାନୀୟ ଦମକଳ ଟିମ୍ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଉକ୍ତ ମହିଳାଙ୍କ ମୃତ ଶରୀରକୁ ଠାବ କରାଯାଇଥିବା ବେଳେ ଏବେ ବି ଝିଅର ପତ୍ତା ମିଳୁନି ।

ମିଳିଥିବା ସୂଚନା ଅନୁଯାୟୀ ତଳଗୁମାଣ୍ଡି ଡକିରୀଘାଟି ଗ୍ରାମ ରାସ୍ତା ଖରାପ ଥିବା ହେତୁ ମାଆ ଗୃହରେ ଆଶ୍ରୟ ନେଉଥିଲେ ମହିଳା ଓ ଝିଅ । ମା ଗୃହ ଠାରୁ ଝଞ୍ଜାବତୀ ନଦୀ ୧୦୦ ମିଟର ରହିଥିବାରୁ ଶୌଚ ହେବା ପାଇଁ ଦୁଇ ଜଣ ନଦୀପଠାକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ବିତି ଯାଇଥିଲେ ବି ଉଭୟ ଫେରିନଥିଲେ । ମା’ ଗୃହରେ ଉପସ୍ଥିତ ଥିବା କର୍ମଚାରୀ ମା’ ଝିଅଙ୍କୁ ଖୋଜି ନଦୀ ପଠାରେ ପହଞ୍ଚିଥିଲେ ଏବଂ ସେଠାରେ ସେମାନଙ୍କର ଲୁଗା ପଟା ପଡ଼ି ଥିବା ଦେଖିବାକୁ ପାଇଥିଲେ । କିନ୍ତୁ ମା’ ଓ ଝିଅଙ୍କର ଦେଖା ନଥିଲା । ମା’ ଗୃହ ଇନଚାର୍ଜ ଏନେଇ ଥାନାରେ ଏତଲା ଦେଇଥିଲେ। ପରେ ଥାନା ପକ୍ଷରୁ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ଏହା ପରେ ଅଗ୍ନିଶମ ବିଭାଗ ଗତ କାଲି ସନ୍ଧ୍ୟା ୭.୩୦ ନଦୀରେ ୯.୩୦ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ । କିନ୍ତୁ ରାତି ହୋଇଯିବାରୁ ଫେରି ଆସିଥିଲେ । ଆଜି ସକାଳେ ମା’ର ମୃତଦେହ ମିଳିଛି ।

ଏମିତି ଅଘଟଣ କାହା ସହ ନହେଉ । କିନ୍ତୁ ଏଠାରେ କହି ରଖିବାକୁ ଚାହିଁବୁ ବର୍ଷା ପାଇଁ ନଦୀର ଜଳସ୍ତର ଯେମିତି ବଢ଼ୁଛି ତାହା ନିଶ୍ଚିତ ଭାବେ ବିପଜ୍ଜନକ । ଏହି ସମୟରେ ନଈକୁ ଯିବା ସମ୍ପୂର୍ଣ୍ଣ ଭାବେ ଭୁଲ । କାହିଁକି ନା ଏମିତି ଅଘଟଣ ଘଟିବାର ଯଥେଷ୍ଟ ସମ୍ଭାବନା ରହୁଛି । ଯଦି ଆପଣଙ୍କ ଘର ନିକଟରେ ନଦୀ ଅଛି ତେବେ ଭୁଲରେ ମଧ୍ୟ ନଦୀ ଭିତରକୁ ଯାଆନ୍ତୁ ନାହିଁ ।