କଣ୍ଟାମାଳ: ଝିଅକୁ ହେଉଥିଲା ଝାଡା ଆଉ ରୋଗ ଭଲ ହେବା ପାଇଁ ଯାଇଥିଲେ ଡାକ୍ତରଖାନା । ହେଲେ ରୋଗ କଣ ଭଲ ହେବ ବାଟରେ ଜଗିଥିଲା କାଳଯମ । ବାଇକରେ ନିଜ ପୁଅ ଝିଅ ସହ ଘରକୁ ଫେରୁଥିବା ସମୟରେ ଧକ୍କା ଦେଲା ଏକ ଘରୋଇ ବସ । ପୁଅ ଝିଅ ସିନା ବଞ୍ଚିଗଲେ କିନ୍ତୁ କ୍ଷଣିକରେ ଚାଲିଗଲା ମା’ର ଜୀବନ ।
ଏମିତି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନା ୫୭ ନଂ ଜାତୀୟ ରାଜପଥ ଡିମିରିପାଲୀ ଛକ ନିକଟରେ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତି ୩ଟା ସମୟରେ ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବା ଏକ ନାଇଟ କୋଚ ବସ ଧକାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ମନୁପାଲି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ଗାଁର ବିଶାଖା ଭୋଇ । ମେଡିକାଲରୁ ଘରକୁ ଫେରୁଥିବା ବେଳେ ଉକ୍ତ ବସଟି ମା’, ପୁଅ ଓ ଝିଅଙ୍କୁ ଧକା ଦେଇଥିଲା । ଆଉ ଧକ୍କା ଦେବାପରେ ବସଟି ଫେରାର ହୋଇଯାଇଛି ।
ଉତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବାବେଳେ ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଗାଡି ମଟର ଅଟକି ରହିଥିଲା । ଅନ୍ୟପଟେ ଘଟଣାସ୍ଥଳରେ ବାଉଁସୁଣୀ ଥାନା ପୋଲିସ ଓ ବୌଦ୍ଧ ଅତିରିକ୍ତ ତହସିଲଦାର ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ପରିବାର ଲୋକଙ୍କୁ ସହାୟତା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।