ପୁଅକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଲା ମାଆ

ମାର୍ଶାଘାଇ:  ମାଆ ତୁ ଭାରି ସ୍ୱାର୍ଥପର । ମୋ ଜୀବନ ଚାଲିଯାଇଥିଲେ ତୁ ବଞ୍ଚିପାରିନଥାନ୍ତୁ ବୋଲି ଆଜି ମତେ କଷ୍ଟ ଦେଇ ଚାଲିଗଲୁ ନା….ତୋ ବିନା ମୁଁ କେମିତି ବଞ୍ଚିବି ଲୋ । ଏତେ ବଡ ଦୁନିଆରେ ମତେ ତୋ ଭଳି କିଏ ଆଉ ସ୍ନେହ ମମତା ଦେବ କହିଲୁ । ତୁ ଫେରିଆ ଲୋ ମାଆ…..ସତରେ ମାଆର ମମତା ସବୁଠୁ ମହାନ୍ । କେହି ନୁହେଁ ତାହା ସରି । ମାଆ ପିଲାର ଭରସା, ସାହସ ଆଉ ଧୈର୍ଯ୍ୟ । ମାଆ ଥିଲେ ସବୁ ଅଛି । ଅନ୍ଧାରରୁ ଆଣି ଦୁନିଆରେ ଆଲୋକ ଯିଏ ଦେଖାଏ ସେହିଁ ମାଆ । ମାଆ ର ମମତା ଅବର୍ଣ୍ଣନୀୟ । ଆଜି ପୁଣି ମାଆ ଦେଇଛି ବିଶାଳ ହୃଦୟର ପରିଚୟ । ନିଜ ସନ୍ତାନକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଇଛି ଜଣେ ମାଆ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ବଡ଼ବେତ୍ରା ପଞ୍ଚାୟତ ପଧାନପଟିକିରା ଗ୍ରାମରେ ।

ପୋଖରୀରେ ମାଆ ଆଗରେ ବୁଡିଯାଉଥିବା ନାବାଳକ ପୁଅକୁ ମାଆ ସିନା ବଞ୍ଚାଇ ଦେଲା, କିନ୍ତୁ ମାଆର ଗୋଡ ଖସି ଯାଇ ନାବାଳକ ପୁଅ ଆଗରେ ପାଣିରେ ବୁଡ଼ିଗଲା ମାଆ । ଖବର ମୁତାବକ, ମାଆ ଅବନିତା ଓ ନାବାଳକ ପୁଅ ଗାଁ ପାଖ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ । ହଠାତ୍ ଗଭୀର ଜଳକୁ ଖସି ଯାଇ ପୁଅ ବୁଡ଼ି ଯାଉଥିବାର ଦେଖିଥିଲା ମାଆ । ସଙ୍ଗେ ସଙ୍ଗେ ଡେରି ନକରି ପୁଅକୁ ଟାଣି ଆଣି ଉଦ୍ଧାର କଲା । କିନ୍ତୁ ଦଇବ ଅଲଗା କିଛି ଲେଖିଥିଲା । ମାଆ ସିନା ପୁଅକୁ ବଞ୍ଚାଇଦେଲା, କିନ୍ତୁ ସବୁଦିନ ପାଇଁ ପୁଅକୁ କରିଚାଲିଗଲା ମାଆ ଛେଉଣ୍ଡ ।

ହଁ ଆଜ୍ଞା ପୁଅକୁ ଉଦ୍ଧାର କରିବା ସମୟରେ ନିଜର ଗୋଡ ଗଭୀର ପାଣିକୁ ଖସି ଯାଇଥିଲା । ଆଉ ଦେଖୁ ଦେଖୁ ପୁଅ ଆଗରେ ବୁଡ଼ି ଯାଇଥିଲା ମାଆ । କୂଳରେ ଥିବା ନାବାଳକ ପୁଅ ଗ୍ରାମବାସୀଙ୍କୁ ଡାକ ପକାଇଥିଲା । ଗ୍ରାମର ଯୁବକମାନେ ପୋଖରୀରେ ବହୁ ଖୋଜାଖୋଜି କରି ଅବନୀତାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ନିଶ୍ଚିନ୍ତକୋଇଲି ଡାକ୍ତରଖାନାକୁ ନେଇଥିଲେ | ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଧାନପଟିକିରା ଗ୍ରାମର ୪୬ ବର୍ଷିୟା ଅବନୀତା ଲେଙ୍କାଙ୍କ ମୃତ୍ୟୁ ଖବର ପରିବାରକୁ ଭାଙ୍ଗିଦେଇଛି । ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ । ଏ ନେଇ ନିଶ୍ଚିନ୍ତକୋଇଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

କଥାରେ ଅଛି ମାଆ ନାହିଁ ଯାହାର ସାହା ନାହିଁ ତାହାର । ମାଆ ନାମଟି ଯେତିକି ମଧୁର ତାର ମମତା ମଧ୍ୟ ତା ଠାରୁ ଅଧିକ ମଧୁର । କଷ୍ଟ ହେଲେ ଯିଏ ଆହା ବୋଲି କହି କୋଳେଇ ନିଏ ସେ ହେଉଛି ମାଆ । ତେଣୁ ତ ନିଜ ପୁଅକୁ କଷ୍ଟରୁ ଉଦ୍ଧାରି ନିଜେ ଚିରନିଦ୍ରାରେ ଶୋଇଗଲା ଆଜି ଜଣେ ମାଆ ।

ଆହୁରି ପଢନ୍ତୁ: ହାତରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ମହିଳା, ୮ ଦିନ ହେଲା ସୁଧୁରୁନି ଜଳ କଷ୍ଟ