ଟ୍ରେନ୍ ଧକ୍କାରେ ମାଆର ମୃତ୍ୟୁ, ବର୍ତ୍ତିଗଲା ୪ ବର୍ଷର ଶିଶୁକନ୍ୟା

ଝାରସୁଗୁଡା: ମାଆ ତା ନାଁ ଯେମିତି ତାର ସ୍ନେହ ବି ସେମିତି । କଥାରେ ଅଛି ମାଆ ଯାହାର ଅଛି ସାହା ତାର ଅଛି । ମାଆ ନାମଟି ଯେତିକି ମଧୁର ତାର ମମତା ମଧ୍ୟ ତା ଠାରୁ ଅଧିକ ମଧୁର । କଷ୍ଟ ହେଲେ ଯିଏ ଆହା ବୋଲି କହି କୋଳେଇ ନିଏ ସେ ହେଉଛି ମାଆ । ମାର ମମତା ବିଷୟରେ ଯେତେ କହିଲେ ବି ସରିବନାହିଁ । ଆଜି ପୁଣି ମାଆର ବିଶାଳ ହୃଦୟକୁ ନେଇ ଘଟିଯାଇଛି ଏକ ଦୁଃଖଦ ଘଟଣା । ନିଜ ସନ୍ତାନକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଇଛି ଜଣେ ମାଆ ।
ହଁ ଆଜ୍ଞା ଛୁଆ ଆଗରେ ଚାଲିଗଲା ମାଆର ଜୀବନ । ଆଉ ତଳେ ହତବାକ ହୋଇ ବସିଥିଲା ନିରୀହ ଶିଶୁ । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ରେଳ ଫାଟକ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ଉତ୍କଳ ଏକ୍ସପ୍ରେସ୍ ଧକ୍କାରେ ମାଆର ମୃତ୍ୟୁ ହୋଇଥିବାବେଳେ ୪ ବର୍ଷୀୟ ଶିଶୁକନ୍ୟା ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ମୃତ ମହିଳା ଜଣକ ମଞ୍ଜୁ ଯାଦବ ବୋଲି ପୋଲିସ୍ ସୂଚନା ଦେଇଛି । ମୃତ ମହିଳା ଯାଯାବର ଭାବେ ବେଲପାହାଡ଼ ଅଞ୍ଚଳରେ ଏଣେ ତେଣେ ବୁଲି ଭିକ୍ଷାବୃତି କରିଥାନ୍ତି । ତେଣୁ ସେ କେଉଁ ସ୍ଥାନର ମୂଳ ନିବାସୀ ତାହା ଜଣା ପଡ଼ିପରିନାହିଁ । ଅନ୍ୟପଟେ ତାଙ୍କ ୪ ବର୍ଷର ଶିଶୁକନ୍ୟାକୁ ଏବେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ସିଡ଼ବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି ।
ଯାହା ସୂଚନା ମିଳିଛି କି, ସୋମବାର ଅପରାହ୍ନ ପ୍ରାୟ ୨ଟା ୧୫ମିନିଟରେ ମହିଳା ନିଜ କୁନି ଝିଅକୁ ନେଇ ବେଲପାହାଡ଼ ରେଳ ଫାଟକ ପାରି ହେଉଥିଲେ ମଞ୍ଜୁ । ଏତିକି ବେଳେ ହଠାତ୍ ଝିଅଟି ମାଆ ମଞ୍ଜଙ୍କୁ ହାତ ଛାଡି ଦୌଡି ପଳାଇଥିଲା । ଠିକ୍ ସେହି ସମୟରେ ଉତ୍କଳ ଏକ୍ସପ୍ରେସ ଦ୍ରୁତ ଗତିରେ ମାଡି ଆସିଥିଲା । ଏହାଦେଖି ଝିଅକୁ ବଞ୍ଚାଇବା ପାଇଁ ଦୌଡ଼ି ଯାଇଥିଲେ ମାଆ । ଫଳରେ ରେଳରେ ପିଟି ହୋଇ ତାଙ୍କର ମୃତ୍ୟୁ ହୋଇଥିବାବେଳେ କୁନି ଝିଅଟି ଅଳ୍ପକେ ବର୍ତ୍ତୀ ଯାଇଥିଲା ।
ମହିଳାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଚିକିତ୍ସାଳୟକୁ ନେଇଥିବାବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରେଳବାଇ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଯାଯାବର ହୋଇ ବୁଲୁଥିବା ମଞ୍ଜୁ ଏବଂ ତାଙ୍କ ଝିଅଙ୍କ ବ୍ୟତୀତ ଆଉ କେହି ନଥିବାରୁ, ମଞ୍ଜୁଙ୍କ ମୃତ୍ୟୁ ପରେ ଏବେ ଝାରସୁଗୁଡ଼ା ଚାଇଲ୍ଡ ଲାଇନ ଅଧିକାରୀଙ୍କୁ ପୋଲିସ୍ ଛୁଆଟିକୁ ହସ୍ତାନ୍ତର କରିଛି ।
ଏପଟେ ବର୍ତ୍ତମାନ ମାଆ ଛେଉଣ୍ଡ କୁନି ଝିଅର ଦାୟିତ୍ୱ ନେଇଛି ଚାଇଲ୍ଡ ଲାଇନ୍ । ତେବେ ଏଭଳି ଦୁର୍ଘଟଣା ବାରମ୍ବାର ଏହି ରେଳ ଫାଟକ ନିଟକରେ ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ତଥାପି ଫାଟକ ବନ୍ଦ ଥିବା ଅବସ୍ଥାରେ ନିୟମ ନମାନି ପାର୍ ହେଉଛନ୍ତି ଲୋକେ ଆଉ ଭୋଗୁଛନ୍ତି ଏଭଳି ଦୁର୍ଦ୍ଦଶା ।
ଆହୁରି ପଢନ୍ତୁ: ପିଲାଙ୍କ ଜୀବନ ସହ ଖେଳ, ଭଙ୍ଗା ଦଦରା କୋଠା ଉପରେ ନିର୍ମାଣ ହେଉଛି ନୂଆ ଶ୍ରେଣୀ ଗୃହ