ବୋହୂକୁ ପଥରରେ ଛେଚି ଶାଶୁ ହତ୍ୟା କରିଥିବା ଅଭିଯୋଗ, ଶାଶୁକୁ ଥାନାରେ ଅଟକ ରଖି ପୋଲିସର ଜେରା

ଯାଜପୁର(କେନ୍ୟୁଜ୍‌) : ପାରିବାରିକ କଳହର କରୁଣ ପରିଣତି । ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅରଖପୁର ପଂଚାୟତ ହରିଚନ୍ଦନପୁର ଗ୍ରାମରେ । ମୃତକ ହେଲେ ଶାନ୍ତିଲତା ଦାସ ।

ସୂଚନା ମୁତାବକ ଦୀର୍ଘଦିନ ଧରି ଶାଶୁ ଓ ବୋହୂଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଶନିବାର ଶାଶୁ ଓ ବୋହୂଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗି ଯାଇ ଶାଶୁ ବୋହୂ ଶାନ୍ତିଲତାଙ୍କୁ ପଥରରେ ଛେଚି ଦେଇଥିଲେ । ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ବଡଚଣା ମେଡିକାଲରେ ଭର୍ତି କରାଯାଇଥିଲା ।

ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଏନେଇ ଶାନ୍ତିଲତାଙ୍କ ଭାଇ ସୁବାସ ଚନ୍ଦ୍ର ପରିଡା ବଡଚଣା ଥାନାରେ ଅଭିଯୋଗ କରିଛନ୍ତି ।

ସୁବାସ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀଙ୍କ ମୃତ୍ୟୁ ସକାଳେ ହୋଇଥିବା ବେଳେ ତାଙ୍କୁ ରାତି ୧୦ ଟାରେ ଜଣାଯାଇଥିଲା ଯେ ତାଙ୍କ ଭଉଣୀକୁ ମେଡିକାଲ ପଠାଯାଇଛି । ମାତ୍ର ତାଙ୍କ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବା ସମ୍ପର୍କରେ କିଛି ଜଣାଯାଇନଥିଲା । ଅଭିଯୋଗ ପରେ ବଡଚଣା ପୋଲିସ ଶବକୁ ଜବତ କରି ବଡଚଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଶାଶୁକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.