ଦେଢ଼ ମାସ ହେବ ହଜିଯାଇଛି ପୁଅ ଖୋଜୁଛି ମା’

ପାରାଦୀପ : ଏଇ ମା ଜଣକ କିଭଳି ପୁଅର ଗୋଟାଏ ଫଟୋ ଧରି ଏପାଖ ସେପାଖ ବୁଲୁଛନ୍ତି । କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି । ଯାହାକୁ ଦେଖୁଛି, ମୋ ପୁଅକୁ ଦେଖିଛ କି ଭାଇ, ମୋ ପୁଅକୁ ଦେଖିଛ କି ମଉସା ? ଶେଷରେ ଉତ୍ତର ଶୂନ୍ୟ । ପୁଣି ଆଉ ଗୋଟିଏ ସ୍ଥାନରୁ ଆଉ ଗୋଟାଏ ସ୍ଥାନକୁ ଧାଇଁ ଯାଉଛନ୍ତି । ଏହିଭଳି ଦେଢମାସ ହୋଇଯିବ ପୁଅକୁ ଖୋଜି ଖୋଜି ବାୟାଣୀ ହୋଇଗଲାଣି ମା’ଗୀତାଞ୍ଜଳି ।
ମା ମନ ପରା ବୁଝିବ ବା କୋଉଠୁ, ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ଧରି ଗାଁ ରୁ ସହର ଆଉ ବସ ଷ୍ଟାଣ୍ଡରୁ ଷ୍ଟେସନ, ଖୋଜୁଛି । ତଥାପି ଭରସା ଅଛି ହଜିଯାଇଥିବା ପୁଅ ମିଳିବ ବୋଲି । ଥାନାରେ ଏତଲା ଦିଆ ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ସୁଫଳ ମିଳିପାରିନାହିଁ । ଜନପ୍ରତିନିଧିଙ୍କ ବାସଭବନ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରକୁ ଦୌଡି ଦୌଡି ଥକି ପଡିଲାଣି ମା’ । ହେଲେ ରାଜକିଶୋରର କିଛି ସନ୍ଧାନ ମିଳୁନି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଏରସମା ଥାନା ଅଧିନସ୍ଥ ଅଣିଆପଦା ଗାଁରେ ।
ସବୁଦିନ ଭଳି ଗତ ଜୁଲାଇ ୨୩ ତାରିଖ ଦିନ ୧୦ ଟା ବେଳେ’ ଗୀତାଞ୍ଜଳିଙ୍କ ପୁଅ ରାଜକିଶୋର ପାଠ ପଢିବା ପାଇଁ ଘରୁ ବାହାରି ପଞ୍ଚପଲ୍ଲୀ ଗ୍ରାମେଶ୍ଵର ମହାବିଦ୍ୟାଳୟକୁ ଯାଇଥିଲା । କଲେଜ ସମୟ ଶେଷ ହୋଇ ରାତି ହେଲା, ହେଲେ ପୁଅ ଘରକୁ ଫେରିଲାନି । ରାଜକିଶୋର ସାମାନ୍ୟ ମାନସିକ ବିକୃତ ହୋଇଥିବାରୁ ଚିନ୍ତାରେ ପଡିଗଲେ ମା ଗୀତାଞ୍ଜଳି । ଆଉ ସବୁ ଆଡେ ଖୋଜା ଖୋଜି କରି ଶେଷରେ ଏରସମା ଥାନାରେ ଏତଲା ଦେଲେ । ହେଲେ ଆଜକୁ ପ୍ରାୟ ଦେଢ ମାସ ହୋଇଗଲା ପୁଅର କିଛି ସନ୍ଧାନ ମିଳିଲା ନାହିଁ । ପରେ ମା ଗୀତାଞ୍ଜଳି ନିଜେ ଖୋଜିବା ଆରମ୍ଭ କରି ଦେଲେ ।
ପ୍ରତିଦିନ ପଞ୍ଚପଲ୍ଲୀରୁ ବାହାରି କଟକ ରୁ ଭୂବନେଶ୍ଵର ଆଉ ପ୍ରତି ବସଷ୍ଟାଣ୍ଡରୁ ଷ୍ଟେସନ ଖୋଜି ଖୋଜି ନୟାନ୍ତ ହେଲେଣି ହେଲେ ଆଜି ପର୍ଯ୍ୟନ୍ତ ପୁଅର କିଛି ବି ପତ୍ତା ମିଳୁନି । ଏମିତି କି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ଦ୍ଵାରସ୍ଥ ମଧ୍ୟ ହୋଇ ସାରିଲେଣି ହେଲେ ରାଜକିଶୋରର କୌଣସି ଖୋଜ ଖବର ନାହିଁ । ଶେଷରେ ଆସି ପହଞ୍ଚିଛନ୍ତି ପାରାଦୀପ ବସ ଷ୍ଟାଣ୍ଡରେ। ଯାହାକୁ ଦେଖୁଛନ୍ତି ପୁଅର ଫଟୋ ଆଉ ଆଇକାର୍ଡ ଦେଖେଇ ପଚାରୁଛନ୍ତି ହେଲେ କେହି ବି ପୁଅର ଠିକଣା ଦେଇ ପାରୁନାହାନ୍ତି । ଯେହେତୁ ପୁଅ ଠିକ ସେ କଥା କହି ପାରେନି ତେଣୁ ପୁଅ ରାଜକିଶୋରକୁ କିଏ କୁଆଡେ ନେଇ ଯାଇଥିବା ସନ୍ଦେହ କରୁଛନ୍ତି ମା । ପୁଅକୁ ଖୋଜି ଦେବା ପାଇଁ ଗଣମାଧ୍ୟମ ସମ୍ମୁଖରେ କାନ୍ଦି କାନ୍ଦି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଗୀତାଞ୍ଜଳିି ।