ମା’ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ପୁଅର ଦୁଇଟିଯାକ କିଡନୀ ନଷ୍ଟ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବାଲେଶ୍ବର: କଥାରେ ଅଛି ଦୁଃଖ ଯେତେବେଳେ ଆସେ ସାହି ପଡିଶାକୁ ସାଙ୍ଗ ରେ ଧରି ଆସିଥାଏ । ଗୋଟିଏ ପରିବାରରର ଦୁଇ ଦୁଇଟି ଜୀବନ ଏବେ କଷ୍ଟ ଯନ୍ତ୍ରଣାରେ । ଏକାସଙ୍ଗେ ବିଛଣାରେ ପଡି ରହି ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ମା’ ପୁଅ । ବଡ ପୁଅର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ବେଳେ ମା’ମାରତ୍ମକ କ୍ଯାନସରରେ ଆକ୍ରାନ୍ତ । ଏମାନଙ୍କୁ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଝରି ପଡ଼ିବ ।

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବାଗପଞ୍ଚମୀ ଗାଁର ବାସିନ୍ଦା ହେଉଛନ୍ତି ଉମାକାନ୍ତ ପରିଡା । ପରିବାର କହିଲେ ସ୍ତ୍ରୀ ସସ୍ମିତା ପରିଡା ଏବଂ ଦୁଇ ପୁଅ । ନିଜର ଜମିବାଡି କିଛି ନଥିବାରୁ ପେଟ୍ରୋଲ ପମ୍ପରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ, ଯାହା କିଛି ରୋଜଗାର ହେଉଥିଲା ସେଥିରେ ଚାରି ପ୍ରାଣୀ କଷ୍ଟେମଷ୍ଟେ ଚଳୁଥିଲେ । ଆଉ ଯାହା ବଞ୍ଚୁଥିଲା ଦୁଇ ପୁଅକୁ ପାଠ ପଢାଉଥିଲେ । ହେଲେ ଏ ହସଖୁସିର ପରିବାର ଉପରେ ଘୋଟି ଆସିଲା କଳା ବାଦଲ ।

ବଡ଼ ପୁଅ ରାକେଶ ସ୍ଥାନୀୟ ମହାବିଦ୍ଯାଳୟରେ +2 ରେ ପଢିବା ବେଳେ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ଡାକ୍ତର କହୁଛନ୍ତି ପୁଅର ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ଏବେ ପେଟ ଏବଂ ପାଦ ଫୁଲି ପାଣି ବାହାରିବା ସହ ଗୋଟିଏ ଜାଗାରେ ପଡି ରହୁଛନ୍ତି । କିଡନୀ ପ୍ରତ୍ଯାରୋପଣ କରିବା ପାଇଁ ୨୦ ଲକ୍ଷ ଟଙ୍କା ଦରକାର । ଏହା ଶୁଣିବା ପରେ ଗରୀବ ବାପାର ପାଦ ତଳୁ ମାଟି ଖସି ଯାଇଛି । ଅର୍ଥାଭାବ ଯୋଗୁଁ ଯେଉଁଠି ଦିନକୁ ଦି ମୁଠା ଖାଇବାକୁ ଏମାନଙ୍କୁ ସଂଘର୍ଷ କରିବାକୁ ପଡୁଛି ସେଠି ଚିକିତ୍ସା କଥା କିଏ ବା ପଚାରେ ।

ଏତିକିରେ ଉମାକାନ୍ତଙ୍କ ଦୁଃଖ ସରିନି । କିଛି ମାସ ପୂର୍ବରୁ ସ୍ତ୍ରୀ ସସ୍ମିତାଙ୍କ ପେଟ ବ୍ୟଥା ହେବାରୁ ଚିକିତ୍ସା ପାଇଁ ହସପିଟାଲ ନେବା ପରେ ସେ ମାରାତ୍ମକ କ୍ୟାନସରରେ ଆକ୍ରାନ୍ତ ଥିବା ଜଣା ପଡିଥିଲା । ପୂଅର ଚିକିତ୍ସା ପାଇଁ ସବୁ କିଛି ବିକ୍ରି କରି ସର୍ବଶ୍ବାନ୍ତ ହୋଇଥିବା ବେଳେ ଉମାକାନ୍ତ ପାଖରେ କାଣି କଉଡିଟେ ନାହିଁ । ଏବେ ଉପାୟଶୂନ୍ୟ ହୋଇ ପୁଅକୁ ଚିକିତ୍ସା କରାଇବେ ନା ସ୍ତ୍ରୀ ଙ୍କୁ ଚିକିତ୍ସା କରାଇବେ କିଛି ବୁଦ୍ଧି ବାଟ ଦିଶୁନି ବୋଲି କହିଛନ୍ତି ଉମାକାନ୍ତ । ଘରେ ଦୁଇ ଜଣ ରୋଗାକ୍ରାନ୍ତକୁ ଛାଡି ଆଉ କାମକୁ ମଧ୍ୟ ଯାଇ ପାରୁ ନାହାନ୍ତି । ଶେଷରେ ବାଧ୍ୟ ହୋଇ ସରକାରଙ୍କୁ ନିବେଦନ କରିଛନ୍ତି ଆର୍ଥିକ ସହାୟତା ପାଇଁ ।

ଯଦି ସରକାରୀ ସ୍ତରରେ ଉଭୟଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ମିଳି ପାରନ୍ତା ତାହାଲେ ଦୁଇଟି ଜୀବନ ବଞ୍ଚି ଯାଇ ପାରନ୍ତା । ଯଦି ଆପଣ ମାନେ ଏହି ଅସହାୟ ପରିବାରକୁ ସାହାଯ୍ଯ କରିବାକୁ ଚାହାନ୍ତି ତାହାଲେ ଉମାକାନ୍ତଙ୍କ ବ୍ଯାଙ୍କ ଆକାଉଣ୍ଟ କିମ୍ବା ଫୋନ୍ ପେ ରେ ଟଙ୍କା ପଠାଇ ପାରିବେ ।

ACCOUNT DETAILS
NAME – UMAKANTA PARIDA
STATE BANK OF INDIA
A/C – 42916030002
IFSC – SBIN0009821
PHONE PAY – 7609966383
PHONE – 9777784240

Also Read:ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫ଗୁରୁତରଙ୍କ ମଧ୍ୟରୁ ୨ମୃତ