ମାଆ ସାଜିଲା ରାକ୍ଷସୀ, ନିଜ ଜନ୍ମ କଲା ଶିଶୁକୁ କଲା ହତ୍ୟା

ସୁବର୍ଣ୍ଣପୁର: ଅନ୍ଧ ବିଶ୍ୱାସର କରୁଣ ପରିଣତି । ମାଆ ପାଲଟିଲା ପିଶାଚୁଣୀ । କଞ୍ଚା ଡାହାଣୀ ପରି ମାରିଦେଲା ନିଜ ଝିଅକୁ । ଏମିତି ବିଭତ୍ସ ହତ୍ୟାକାଣ୍ଡ ଶୁଣିଲେ ଥାତି ଥରିଉଠିବ । ମନସ୍କାମନା ପୂରଣ କରିବା ପାଇଁ ରଚିଲା ଷଡଯନ୍ତ୍ର । ମାଆ । ଏଇ ଡାକରେ ହଜିଯାଏ ରାଗ,ରୋଷ,ଅଭିମାନ । ସେଇଥିପାଇଁ ତ ମାଆ ବନ୍ଦନୀୟା । ମାଆର ମମତା କାହାକୁ ବା ଅଛପା । ହେଲେ ଆଜି ମାଆ ସୁରକ୍ଷା କବଚ ସାଜିବା ବଦଳରେ ପାଲଟିଗଲା ରାକ୍ଷସୀ । ମାଆ ସାଜିଛି ସୈତାନ । ରାକ୍ଷସୀ ହୋଇ ନିଜ ଜନ୍ମ କଲା ଶିଶୁକୁ କରିଛି ହତ୍ୟା ।
ଅନ୍ଧ ବିଶ୍ୱାସର କୁପରିଣତି । ଈଷ୍ଟ ଦେବୀ ବୋଲୁଥିବା ଭାନୁମତୀ ଦେବୀଙ୍କ ସ୍ୱପ୍ନା ଦେଶରେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ମାଆ ପାଲଟି ଯାଇଛି ଡାହାଣି । ଶେଷରେ ନିଜର ଜନ୍ମିତ ଛଅ ବର୍ଷର ଶିଶୁ କନ୍ୟାକୁ ନିଜ ଶାଢୀ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଛି । ଅନ୍ଧ ବିଶ୍ୱାସର ବଶବର୍ତି ହୋଇ ମାଆ ଭୁଲିଯାଇଛି ମାନବିକତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କୋଟସମଲାଏ ଗାଁରେ ।
ଝିଅ ନିଶା ମହାପାତ୍ର । ବୟସ ମାତ୍ର ୬ବର୍ଷ । ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲା । ପାଠ ପଢି ଫେରିଲା ବେଳେ ଖେଳକୁଦ କରିବାକୁ ଯାଉଥିବା ବେଳେ ପଡିଲା ମାଆ ହାବୁଡରେ । ଘରକୁ ଡାକିନେଇ ନିର୍ମମ ଭାବେ ହତ୍ୟା କରିଥିଲା ମାଆ ଆଶାଲତା ମହାପାତ୍ର । ସେଦିନ ଥିଲା ଫେବୃୟାରୀ ମାସ ୨ ତାରିଖ । ବାପ,ପୁଅ ସମସ୍ତେ ବାହା ଭୋଜି ରାନ୍ଧିବା ପାଇଁ ଯାଇଥିବା ବେଳେ ଘଟିଥିଲା ଏଭଳି ଘଟଣା । ତେବେ ଭୋଜି ଖାଇ ଆସି ଦେଖିଲା ବେଳକୁ କାନ୍ଦୁଛି ମାଆ ଆଶାଲତା ଆଉ ପରିବାରର ସମସ୍ତ ଆତ୍ମୀୟ ସ୍ୱଜନ ।
ତୁରନ୍ତ ବଡପୁଅ ଆକାଶ ମହାପାତ୍ର ନିଜ ଭଉଣୀକୁ ଧରି ଉଲୁଣ୍ଡା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହାପରେ ବୀରମହାରାଜପୁର ଥାନାରେ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ଥାନାରେ ଦାୟର ହୋଇଥିଲା । ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଝିଅର ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ଉଲ୍ଲେଖ ରହିଥିଲା ।
ଏହାକୁ ଆଧାର କରି ବୀରମହାରାଜପୁର ଥାନା ଅଧିକାରୀ ଏହାର ତଦନ୍ତ ଭାର ନେଇଥିଲେ । ତଦନ୍ତ ହେବାପରେ ନିଜ ମାଆ ହିଁ ଝିଅର ହତ୍ୟାକାରୀ ବୋଲି ଜାଣିବାକୁ ପାଇଥିଲା ପୋଲିସ୍ । ଶନିବାର କୋଟସମଲାଏ ଗାଁରୁ ନିଜ ଝିଅକୁ ହତ୍ୟା କରିଥିବା ଆଶାଲତା ମହାପାତ୍ରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆଶାଲତା ନିଜେ ନିଜ ଝିଅକୁ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଛି । ଏପଟେ ବୀରମହାରାଜପୁର ଏସଡିପିଓ କହିଛନ୍ତି ଦୈବି ସ୍ୱପ୍ନରେ କିଛି ପାଇବା ଆଶା ନେଇ ନିଜ ଝିଅକୁ ମାରି ଦେଲେ ମନସ୍କାମନା ପୂରଣ ହେବ ବୋଲି ଏଭଳି କାଣ୍ଡ କରିଛି ରାକ୍ଷସୀ ମାଆ ।
ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଛି । ସଭିଏଁ ଏ କାହାଣୀ ଶୁଣି ଚକିତ ହୋଇଯାଇଛନ୍ତି । ସତରେ ମାଆ କଣ ଏତେ ନୃଶଂସ ହୋଇପାରେ? ନିଜ କଅଁଳିଆ ଝିଅକୁ ଏମିତି ବିଭତ୍ସ ଭାବେ ହତ୍ୟା କରିପାରେ? ଏଭଳି ମାଆ ସମାଜ ପାଇଁ କଳଙ୍କ, ଯେତେ ଦଣ୍ଡ ଦେଲେ ବି କମ୍ ପଡିବ ।
ଆହୁରି ପଢନ୍ତୁ: ଦୁଇ ଭାଇଙ୍କୁ ମାରି ଜାଳିଦେଲେ ଦୁର୍ବୃତ୍ତ, ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ