ଆଠମାସ ପରେ ଝିଅକୁ ଫେରି ପାଇଲା ମା, ଷଡଯନ୍ତ୍ର କରି ଚୋରି କରି ନେଇଯାଇଥିଲେ ଠକ ଦମ୍ପତି

ଜୟପୁର: ମା ଆଖିରେ ଲୁହ । କେତେ ଦିନ କେତେ ରାତି ଯେ ମା ତା ଛୁଆକୁ ଝୁରି ନଥିବ । ଭିକ ମାଗି ବଞ୍ଚୁଥିବା ଏହି ମା ଜଣଙ୍କୁ ରୋଜଗାରର ଆଶା ଦେଖେଇ ତାଙ୍କୁ ଡାକି ନେଇଥିଲେ ମାଲକାନଗିରିକୁ । କିନ୍ତୁ ରୋଜଗାରର ଖୁସିଠୁ ବଳିଗଲା ତାଙ୍କ ଦୁଃଖ । ଖାଇବାରେ ନିଶା ଦେଇ ମା କ୍ଷିର ଖାଉଥିବା ତାଙ୍କ କୁନି ଝିଅଟିକୁ ନେଇ ଯାଇଥିଲେ ଦୁର୍ବୁତମାନେ । ସ୍ୱାମୀ ପରିତ୍ୟକ୍ତା ଦୁଖିନି ମା ଏବେ ଦୀର୍ଘ  ୮ମାସ ପରେ ଫେରି ପାଇଲା ତା ଅଲିଲଳି ରାଜକୁମାରୀକୁ ।

ଦଶ ମାସ ଗର୍ଭରେ କଷ୍ଟ ଯନ୍ତ୍ରଣା ସହି ଯେଉଁ କନ୍ଯା ରତ୍ନକୁ ଜନ୍ମ ଦେଇଥିଲା ମା, ଗତ ଆଠ ମାସ ତଳେ ତାକୁ ଚୋରି କରି ନେଇଯାଇଥିଲେ ଦୁର୍ବୁତ । ଏବେ ଝିଅ ବର୍ଷା  ୧୮ ମାସର। ଛୁଆକୁ ଫେରାଇ ମା ମୁଁହରେ ହସ ଦେଇଛି ଜୟପୁର ପୋଲିସ୍ । ଆଠମାସ ପରେ ନିଜ ଝିଅକୁ ପାଇ ଖୁସିରେ ସତେ ଯେମିତି ଆତ୍ମବିଭୋର ହୋଇପଡିଛି ମା ।

jaypurମହିଳା ଜଣଙ୍କ ଦୁଃଖ କଥା କହିଲେ ସରିବନି। ଯାହା ହାତଧରିଥିଲେ ସିଏବି ଅଧାରୁ ହାତଛାଡି ଦେଲା । ଝିଅକୁ ନେଇ ବଞ୍ଚିବା ପାଇଁ ସେ ସ୍ଥିର କଲେ। ଆଉ ସିଧା ଚାଲି ଆସିଲେ, ଗଜପତି ରୁ କୋରାପୁଟକୁ । ଭିକମାଗି ମା ଛୁଆ ଚଳିଯାଉଥିଲେ, ହେଲେ ଏତିକିରେ ଦୁଖଃ ସରିନଥିଲା । ଏକ ଦମ୍ପତିଙ୍କ ଠକାମିର ଶିକାର ହେଲେ। ଆଉ ସେମାନେ ଷଡଯନ୍ତ୍ର କରି ତାଙ୍କଠାରୁ ଚୋରି କରି ନେଇଗଲେ ତାଙ୍କ କୁନି ଝିଅକୁ ।

ତେବେ ଘଟଣାରେ ଜୟପୁର ଟାଉନ ପୋଲିସର କାର୍ଯ୍ଯ ବେଶ୍ ପ୍ରସଂଶାଯୋଗ୍ଯ । ଏକ ତିନି ଜଣିଆ ଟିମ ଆଠମାସ ପରେ ପଡୋଶୀ ଆନ୍ଧ୍ରର ଚିତୋରରୁ ଛୁଆଟିକୁ ଫେରାଇ ଆଣିଛନ୍ତି ମା କୋଳକୁ । ତେବେ ଲକଡାଉନ ବେଳେ ଏହା ଏକ ଚ୍ଯାଲେଞ୍ଜ ବୋଲି କହିବାସହ ମା ମୁହଁରେ ହସ ଫେରାଇ ଥିବାରୁ ଗର୍ବ ଅନୁଭବ ହେଉଥିବା କହିଛନ୍ତି ଥାନା ଅଧିକାରୀ ।