ଅଜଣା ରୋଗ ଘାରିଛି ପୁଅକୁ, ମା ଜାଣିପାରୁନି ଭଲ କରିବ କେମିତି
କଣ୍ଟାବାଞ୍ଜି : ଦିନ ଥିଲା ସେ ଠିକରେ ଚାଲିବୁଲି ପାରୁଥିଲେ । ନିଜ କାମ କରିପାରୁଥିଲେ । ସାଙ୍ଗ ସାଥିଙ୍କ ସହ ସ୍କୁଲ ଯାଉଥିଲେ, ଭଲ ପାଠ ବି ପଢୁ ଥିଲେ । ବଡ ହୋଇ ବାପା ମାଆର ବୋଝ ସମ୍ଭାଳିବେ ବୋଲି ଭାବୁଥିଲେ ହେଲେ ହଠାତ୍ ସବୁକିଛି ଯେମିତି ଓଲଟ ପାଲଟ ହେଇଗଲା । ବିଧିର ବିଧାନ ବୋଧହୁଏ କିଛି ଅଲଗା ଥିଲା, ସେଥିପାଇଁ ଆଜି ସେ ନିଜେ ବୋଝ ପାଲଟି ଯାଇଛନ୍ତି । ଏବେ ସେ ଅଜଣା ରୋଗରେ ପୀଡ଼ିତ । ପାଖରେ ସମ୍ବଳ ନାହିଁ ତେଣୁ ଏବେ ଖାଲି ଭାଗ୍ୟକୁ ଆଦରି କଷ୍ଟରେ ଘରେ ପଡିଛନ୍ତି । ଅଭାବୀ ପରିବାର ଚଳିବା ମୁସକିଲ । ଏଭଳି ପରିସ୍ଥିତିରେ ଅଜଣା ରୋଗ ପୁଅକୁ ନୟାନ୍ତ କରୁଛି । ଘରେ ଯାହା କିଛି ଥିଲା ସବୁ ବିକ୍ରି କରି ନିଜର ପୁଅର ଚିକିତ୍ସା କରାଇ ସାରିଲେଣି ବାପା ଗଦି ହରପାଲ । ହେଲେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିଲାନି । ବରଂ ଧୀରେ ଧୀରେ ତାଙ୍କ ରୋଗ ବଢିବାରେ ଲାଗିଲା ।
ଚିକିତ୍ସା ବାଟରେ ଅର୍ଥ ସାଜିଛି ବାଧକ । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ପଞ୍ଚାୟତ ଚରପାଣି ଗାଁର ପଦ୍ମନ ହରପାଲ । ବୟସ ମାତ୍ର ୨୧ ବର୍ଷ । ଦିନ ଥିଲା ନିଜ କାମ ନିଜେ କରି ପାରୁଥିଲେ । ବାପା ମାଙ୍କ ସାହା ହେଉଥିଲେ କାମ କାର୍ଯ୍ୟରେ ହାତ ବଢାଉ ଥିଲେ । ପରିବାର ଯେମିତି ହସଖୁସିରେ ସୁରୁଖୁରରେ ଚାଲୁଥିଲା । ହେଲେ ହଠାତ ପଦ୍ମନ କୌଣସି ଏକ ରୋଗରେ ଆକ୍ରାନ୍ତ ହେଲେ । ପ୍ରଥମେ ତାଙ୍କ ଚିକିତ୍ସା ପାଇଁ ଆଖପାଖରେ ଥିବା ଡାକ୍ତରଖାନାକୁ ଗଲେ କିନ୍ତୁ କିଛି ଜଣାପଡିଲା ନାହିଁ । କି ରୋଗ ଘାରିଛି କେଜାଣି ଡାକ୍ତର ବି ଚିହ୍ନି ପାରୁ ନାହାନ୍ତି । ଏପଟେ ତାଙ୍କ ଶରୀର ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି। ପିଠିରୁ ତଳକୁ ଶରୀର ଆଉ କାମ କରୁନି । ଦୀର୍ଘ ୫ ବର୍ଷ ହେଲାଣି ସେ ଏମିତି ବିଛଣାରେ ପଡିଛନ୍ତି । ଫଳରେ ସେ କିଛି ବି କାମ କରି ପାରୁ ନାହାନ୍ତି । ସବୁ କାମ ପାଇଁ କାହା ଉପରେ ନିର୍ଭର କରିବାକୁ ପଡୁଛି ।
ପଦ୍ମନଙ୍କ ପରିବାର କହିଲେ ବାପା ମା ଓ ୩ ଭାଇ । ଦୁଇ ଭାଇ ନିଜ ପରିବାର ସହ ଅନ୍ୟ ଜାଗାରେ ରୁହନ୍ତି । ପଦ୍ମନ ଘରେ ରହି ବାପା ମାଙ୍କୁ ଘର କାମରେ ସାହାଯ୍ୟ କରୁଥିଲେ । ହେଲେ ଆଜି ସେ ନିଜେ ବୋଝ ପାଲଟିଯାଇଛନ୍ତି । ଏବେ ପଦ୍ମନଙ୍କ ଅବସ୍ଥା ଏପରି ହେବା ପରେ ପରିବାର ଚଳିବା ମୁସକିଲ। ଯାହା କିଛି ଥିଲା ସବୁ ବିକ୍ରି କରି ପଦ୍ମନ ଚିକିତ୍ସା କରାଇଲେ ଏବେ ଆଉ ସମ୍ବଳ ନାହଁ, ଅପେକ୍ଷା କରିଛନ୍ତି ସରକାରୀ ସାହାଯ୍ୟକୁ ।
ଅତ୍ୟନ୍ତ ଗରିବ ନିରୀହ ପଦ୍ମନକୁ କୌଣସି ବଡ ଡାକ୍ତରଖାନାରେ ଚିକିତ୍ସା କରାଗଲା ଓ କିଛି ସରକାରୀ ସାହାଯ୍ୟ ମିଳିଲେ ସେ ପୁର୍ବ ଭଳି ଚଲାବୁଲା କରିପାରିବେ, ପାଠ ପଢ଼ି କାମ କରିବା ସହ ତାଙ୍କ ପରିବାରର ଦୁଃଖ ସୁଖ ବୁଝି ପାରିବେ । ଏବେ ଦେଖିବାକୁ ବାକିରହିଲା ପ୍ରଶାସନ କେବେ କୃପାସିନ୍ଧୁ ଙ୍କ ନିକଟକୁ ପହଂଚୁଛି । ଏ ନେଇ ଆମେ ତୁରେକେଲା ବିଡିଓ ଙ୍କ ପ୍ରତିକ୍ରିୟା ନେଇଥିଲୁ ସେ କହିଥିଲେ ପଦ୍ମନଙ୍କ ବିଷୟରେ ଜାଣି ନଥିଲେ ବର୍ତ୍ତମାନ ଗଣମାଧ୍ୟମଙ୍କ ଠାରୁ ଜାଣିଲେ, ତେଣୁ ସେ ନିଜେ ଘରକୁ ଯାଇ କିଭଳି ସରକାରୀ ସହଯ୍ୟ ମିଳି ପାରିବ ସେ ଚେଷ୍ଟା କରିବେ ବୋଲି କହିଛନ୍ତି ।