ଅର୍ଥ ସାଜିଲା ବାଧକ: ୨୦ ହଜାର ଟଙ୍କା ପାଇଁ ୯ ଦିନର ଶିଶୁକନ୍ୟାକୁ ବିକି ଦେଲା ମାଆ

ରାୟଗଡା : ଟଙ୍କା ପାଇଁ ଶିଶୁକନ୍ୟାକୁ ଅନ୍ୟହାତକୁ ଟେକିଦେଲା ମାଆ । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ନିକଟସ୍ଥ ନୂଆପଡା ବସ୍ତିରେ ଘଟିଛି ଘଟଣା । ନୂଆପଡା ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିଡବ୍ଲୁସି । ଏଠାରେ ରହୁଥିବା ରାହୁଲ ଧାନବାଡି ଓ କୁମୁଦ ଗାଣ୍ଡାଙ୍କ ଗତ ନଭେମ୍ୱର ୩ ତାରିଖରେ ଏକ ଶିଶୁକନ୍ୟା ଜନ୍ମଗ୍ରହଣ କରିଥିଲା । ଲାଳନ ପାଳନ କରିବାକୁ ଅକ୍ଷମ ହେବାରୁ ନିଜର ୯ ଦିନର ଶିଶୁକନ୍ୟାକୁ ୨୦ ହଜାର ଟଙ୍କାରେ ଆନ୍ଧ୍ର ପ୍ରଦେଶର ପାରବତ୍ତିପୁରମ ଜିଲ୍ଲା ପେଦାପେଙ୍କି ଗାଁର କୋପାଲା ରାଜଶେଖରଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଅଭାବରେ ପଡ଼ି ଶିଶୁ ହସ୍ତାନ୍ତର ନେଇ ସେଣ୍ଟ୍ରାଲ୍ ଆଡପସନ୍ ସିସୋରସେସ୍ ଅଥରିଟି ପକ୍ଷରୁ କୌଣସି ଅନୁମତି ପ୍ରଦାନ କରାଯାଇନଥିବା କୁହାଯାଇଛି । ତେବେ କେବଳ ରାୟଗଡା ନୋଟାରୀ ନିକଟରେ ଏକ ଆଫିଡେଭିଟ୍ କରାଯାଇଛି । ଘଟଣାର ଖବର ପାଇ ଗାଁରେ ପହଞ୍ଚିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା କର୍ମକର୍ତ୍ତା ।

ମିଳିଥିବା ଖବର ମୁତାବକ, ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ଆଉ ଏକ କନ୍ୟା ସନ୍ତାନ ରହିଛି । ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ଯାହା ରୋଜଗାର କରନ୍ତି ସେଥିରେ ତିନି ପ୍ରାଣୀ ଚଳିବା କାଠିକର ପାଠ ହୋଇଯାଉଛି । ରାସନ କାର୍ଡ ନଥିବାରୁ ପିଡ଼ିଏସ ଚାଉଳ ମିଳୁନି । ଚାଉଳ ବାହାରୁ କିଣିବାକୁ ପଡୁଛି । ଆମକୁ ସରକାରୀ ସୁବିଧା କିଛି ମିଳୁନାହିଁ । ଘର ନଥିବାରୁ ଭାଇର ଘରେ ଆଶ୍ରୟ ନେଉଛୁ ବୋଲି କହିଛନ୍ତି ମାଆ ,ବାପା । ମା’ଙ୍କ କହିବା ଅନୁଯାୟୀ ,ପିଲା ଜନ୍ମ ହେବାପରେ କତାପେଟାର ଏକ ବୁଲା ବିକାଳୀ ମହିଳା ଜଣଙ୍କ ଆସି ପିଲା ଦେଇଦବାକୁ କହି କାନ୍ଦିବାରୁ ମୁଁ ମୋ ପିଲାକୁ ଦେଇଦେଇଥିଲି ଓ ସେ ମୋତେ ୨୦ ହଜାର ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି ମାଆ ବାପା ।

ଏହି ଘଟଣା ନେଇ ଖବର ପାଇବା ପରେ ସିଡବ୍ଲୁସି ର ଏକ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ସୋମବାର ବିକ୍ରି ହୋଇଥିବା ଶିଶୁକନ୍ୟାକୁ ଆଣି ସିଡବ୍ଲୁସିକୁ ହସ୍ତାନ୍ତର କରିବା ପାଇଁ କୁହାଯାଇଛି ।

 

 

You might also like