ପୁଅ ମାଡରେ ଗୁରୁତର ହେଲା ମା’, ମାଡ଼ ମାରିବା ପରେ ଘରୁ ଫେରାର

ବୁଢ଼ୀ ବୟସରେ ମୋତେ ଏ କି ଯନ୍ତ୍ରଣା ଦେଉଛ ଭଗବାନ ? ମୁଁ ତ କିଛି ଭୁଲ କରି ନଥିଲି । ପୁଅ ଜନ୍ମ କରିବା କଣ ପାପ ? ମୋତେ କାହିଁକି ଏତେ କଷ୍ଟ ଦେଉଛ ଭଗବାନ ? ଭାବିଥିଲି ବୁଢ଼ୀ ବୟସରେ ମୋ ପୁଅ ମୋର ଯତ୍ନ ନେବ କିନ୍ତୁ ମୋ ପୁଅ ହିଁ ମୋତେ ମାଡ଼ ମାରୁଛି । ହସ୍ପିଟାଲରେ ବସି ଏମିତି କିଛି ଭାବୁ ଥିଲେ ଜଣେ ବୁଢ଼ୀ ମାଉସୀ । ପରିଣତ ବୟସରେ ପୁଅ ଠାରୁ ମାଡ଼ ଖାଇବା ପରେ ମନର କୋହକୁ ଆଖି ତଳେ ଚାପି ଦେଇଛନ୍ତି । ଯାହାକୁ ଅନ୍ତ ଚିରି ଜନ୍ମ ଦେଇଥିଲେ ସେ ହିଁ ଆଜି ତାଙ୍କୁ ଆଘାତ ଦେଇଛି । ଜଣେ ବୃଦ୍ଧାଙ୍କୁ ମାଡ଼ ମାରିଛି ତାଙ୍କ ସାନ ପୁଅ । ଅତି ନିର୍ଦ୍ଦୟ ଭାବେ ମା’ ମୁଣ୍ଡକୁ ଏମିତି ଆଘାତ ଦେଲା ଯେ ବୃଦ୍ଧଙ୍କୁ ଡାକ୍ତରଖାନା ନେବାକୁ ପଡ଼ିଲା ।

ପୁଅ ଭୁଲିଗଲା ମା’ର ମମତା । ସାମାନ୍ୟ ଟଙ୍କା ଲୋଭରେ ହରାଇଲା ହିତାହିତ ଜ୍ଞାନ । ଆଉ ରାଗରେ ମା’କୁ କଲା ଆକ୍ରମଣ । ପୁଅର ମାଡରେ ଗୁରୁତର ହେଲା ମା’ । କାମାକ୍ଷାନଗର ଥାନା ଜୟପୂରା କାଟେଣି ପଞ୍ଚାୟତ ପଦ୍ମ ପୋଖରୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ବୃଦ୍ଧଙ୍କୁ ଭର୍ତ୍ତି କରାଯାଇଛି । ଜନ୍ମ କଲା ମା’କୁ ମାଡ ମାରି ଘରୁ ଫେରାର ହୋଇଯାଇଛି ପୁଅ ।

ସୂଚନା ଅନୁସାରେ ପାଞ୍ଚାଳି ସେନାପତିଙ୍କ ୨ ପୁଅ ଥିବା ବେଳେ ଉଭୟ ଅଲଗା ରହୁଛନ୍ତି । ପାଞ୍ଚାଳି ନିଜ ବଡ ପୁଅ ପାଖରେ ରୁହନ୍ତି । ସାନପୁଅ ମା’କୁ ଖାଇବାକୁ ଦିଏନି କି କୌଣସି ଭଲମନ୍ଦ କାର୍ଯ୍ୟରେ ମା’କୁ ପଚାରେ ନାହିଁ । ଫଳରେ ପାଞ୍ଚାଳି ଆଜକୁ ଚାରି ବର୍ଷ ହେଲା ବଡ ପୁଅ ପାଖରେ ରହିଆସୁଛନ୍ତି । ସମସ୍ତ ବିଲ,ବାଡି,ଘର,ଟଙ୍କା ପଇସାକୁ ୨ଭାଇଙ୍କ ମଧ୍ୟରେ ଭାଗ ବଣ୍ଟା ହୋଇସାରିଥିବା ବେଳେ ସାନପୁଅ ମା’କୁ ଆହୁରି ଟଙ୍କା ପଇସା ମାଆକୁ ମାଗୁଥିଲା । କିନ୍ତୁ ପାଞ୍ଚାଳି ସେନାପତିଙ୍କ ନିକଟରେ ଟଙ୍କା ନଥିବାରୁ ସାନପୁଅ ଉତ୍ତ୍ୟକ୍ତ ହୋଇ ନିଜ ମା’କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ସଙ୍ଗେ ସଙ୍ଗେ ପାଞ୍ଚାଳିଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଅନ୍ୟପଟେ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି ।

ଏମିତି ଘଟଣା ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି । ଟଙ୍କା ଓ ସମ୍ପତି ଲୋଭରେ ସନ୍ତାନମାନେ ନିଜ ଜନ୍ମ କଲା ବାପା ମା’ଙ୍କୁ ଛାଡ଼ୁ ନାହାନ୍ତି । ହିତାହିତ ଜ୍ଞାନ ହରାଇ ବସୁଛନ୍ତି ଆଉ ବାପା ମା’ଙ୍କୁ କରୁଛନ୍ତି ଆକ୍ରମଣ । ସୌଭାଗ୍ୟବଶତଃ ଏ ବୃଦ୍ଧାଙ୍କର ଅଧିକ କିଛି କ୍ଷତି ହୋଇନି । କିନ୍ତୁ ପରିଣତ ବୟସରେ ନିଜ ସନ୍ତାନମାନଙ୍କ ଠାରୁ ଏମିତି ବ୍ୟବହାର ନିଶ୍ଚିତ ଭାବେ ନିନ୍ଦନୀୟ । ତେବେ ଉକ୍ତ ଅଭିଯୁକ୍ତକୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ତାହା ହିଁ ଅଞ୍ଚଳବାସୀଙ୍କ ଦାବୀ ।

You might also like