କିସ୍‍ ଓ ଏଭିଏନ୍‍ଏଲ୍‍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍) ଓ ଆର୍ମୋର୍ଡ଼ ଭେଇକିଲ୍‍ସ୍‍ ନିଗମ ଲିମିଟେଡ଼ (ଏଭିଏନ୍‍ଏଲ୍‍) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ଼. ପ୍ରଶାନ୍ତ କୁମାର ରାଉତରାୟ ଓ ଏଭିଏନ୍‍ଏଲ୍‍ ପକ୍ଷରୁ ଏହାର ମାନବସମ୍ବଳ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ପଟ୍ଟନାୟକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏଭିଏନ୍‍ଏଲ୍ ହେଉଛି ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟର ଡ଼ିଫେନ୍‍ସ ପ୍ରଡ଼କ୍ସନ୍ ବିଭାଗ ଅଧୀନରେ ଥିବା ନିଗମ ।

ଏହି ବୁଝାମଣା ଅନୁଯାୟୀ ଉଭୟ କିସ୍‍ ଓ ଏଭିଏନ୍‍ଏଲ୍‍ ଶିକ୍ଷା, ଗବେଷଣା, ତାଲିମ, କନ୍‍ସଲ୍‍ଟାନ୍‍ସି, ଆଡ଼ଭାଇଜରୀ ଏବଂ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ – ସିଏସ୍‍ଆର୍‍ ଆଦି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ । ଉଭୟ ଅନୁଷ୍ଠାନ ଗ୍ରାମାଞ୍ଚଳ ଓ ଅନୁନ୍ନତ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର, ଶୈକ୍ଷିକ କର୍ମଶାଳା, ଧନ୍ଦାମୂଳକ ତାଲିମ ଏବଂ ପରିବେଶ ସୁରକ୍ଷା ଆଦି କମ୍ୟୁନିଟି ଆଉଟ୍‍ରିଚ୍‍ ଓ ସିଏସ୍‍ଆର କାର୍ଯ୍ୟକ୍ରମ କରିବେ ।

ଏଭିଏନ୍‍ଏଲ କିସ୍‍ ରେ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରିବା ସହ କିସ୍‍ର ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‍ଙ୍କୁ ସହଯୋଗ ନିମନ୍ତେ ଆର୍ଥିକ ସହାୟତା ସମେତ ଏଭିଏନ୍‍ଏଲ୍‍ର ସିଏସ୍‍ଆର ନୀତି ଅନୁଯାୟୀ ଉଭୟ କିସ୍‍ ଓ ଏଭିଏନ୍‍ଏଲ୍‍ ବିଭିନ୍ନ ପ୍ରକାର ସିଏସ୍‍ଆର୍‍ କାର୍ଯ୍ୟକ୍ରମ ମିଳିତ ଭାବେ କରିବେ ।

ପ୍ରତିରକ୍ଷା ଓ ଅଟୋମେଟିଭ୍‍ କ୍ଷେତ୍ରରେ କିସ୍‍ ଓ କିଟ୍‍ କିସ୍‍ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଲକ୍ଷ୍ୟରେ କିସ୍‍ ଓ ଏଭିଏନ୍‍ଏଲ୍‍ ସାଧରଣ ଶ୍ରମଭିତ୍ତିକ ତାଲିମଠାରୁ ଆରମ୍ଭ କରି ଅତ୍ୟାଧୁନିକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବେ । କିସ୍‍ ଓ ଏଭିଏନ୍‍ଏଲ୍‍ ମିଳିତଭାବେ ଯୁଗ୍ମ ଗବେଷଣା ଓ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବା ସହ ଇନ୍‍କ୍ୟୁବେସନ୍‍ ସେଲ୍‍ ଖୋଲିବେ ।

You might also like