ଓଡ଼ିଶାରେ ଆୟୁଷ୍ମାନ ପାଇଁ ଦିଲ୍ଲୀରେ ଏମଓୟୁ ସ୍ବାକ୍ଷରିତ, ଉପକୃତ ହେବେ ପ୍ରାୟ ସାଢ଼େ ୩ କୋଟି ଲୋକ

ଭୁବନେଶ୍ୱର : ଓଡ଼ିଶାରେ ଆୟୁଷ୍ମାନ ପାଇଁ ଏମଓୟୁ । ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେଲା ଓଡ଼ିଶା। ଦିଲ୍ଲୀ ବିଜ୍ଞାନଭବନରେ କେନ୍ଦ୍ର ସହ ରାଜ୍ୟ ମଧ୍ୟରେ MOU ସ୍ବାକ୍ଷରିତ ହୋଇଛି। ଯୋଜନାରେ ଉପକୃତ ହେବେ ପ୍ରାୟ ସାଢ଼େ ୩ କୋଟି ଲୋକ ।
ବର୍ଷକୁ ମିଳିବ ୫ ଲକ୍ଷ ଟଙ୍କାର କ୍ୟାସଲେସ ସ୍ବାସ୍ଥ୍ୟ ସେବା । ଫେବୃଆରୀରୁ ଉପକୃତ ହେବେ ହିତାଧିକାରୀ। ସାରାଦେଶରେ ଆୟୁଷ୍ମାନରେ ୪୧ % ଲୋକ ଉପକୃତ ହେଉଛନ୍ତି । ବିକାଶର ମୁଖ୍ୟ ଧାରାରେ ଓଡ଼ିଶା ସାମିଲ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆମ ପାଇଁ ଏହା ଏକ ଐତିହାସିକ ଦିନ । ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ । ଏପଟେ ଗୋଟିଏ କାର୍ଡରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟର ସୁବିଧା ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣରେ କହିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ସାଢେ ୩ କୋଟି ଲୋକ ଉପକୃତ ହେବେ। ଆୟୁଷ୍ମାନ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଗୋଟିଏ କାର୍ଡରେ ମିଳିବ । ସାରା ଦେଶରେ ଯିଏ ଯେଉଁଠି ଥିଲେ ମଧ୍ୟ ଏହାର ସୁବିଧା ପାଇବେ । ଦେଶର ୩୦ ହଜାର ହସ୍ପିଟାଲରେ ସୁବିଧା ମିଳିବ ।