ସମ୍ମାନରେ ପେଟ ପୁରେନା, ପଦ୍ମଶ୍ରୀ ଫେରାଇ ଦେବେ ମାଉନଟେନ ମ୍ୟାନ ଦୈତାରୀ ନାଏକ
କେନ୍ଦୁଝର (କେନ୍ୟୁଜ୍) : ଫେରାଇବେ ପଦ୍ମଶ୍ରୀ। ଓଡିଶାର ମାଉନଟେନ ମ୍ୟାନ ଦୈତାରୀ ନାଏକ । ଗରିବ ଆଦିବାସୀ ଏହି ବ୍ୟକ୍ତି ଜଣକ ଏପରି ଏକ କାର୍ୟ୍ୟ କରିଦେଖାଇଥିଲେ ଯାହା ତାଙ୍କୁ ଏକ ଅସାଧାରଣ ବ୍ୟକ୍ତିତ୍ୱର ପରିଚୟ ଦେଇଥିଲା । ୪ବର୍ଷ କାଳ ଅକ୍ଲାନ୍ତ ପରିଶ୍ରମ କରି ୩ କିଲୋମିଟର ପାହାଡ କାଟି ଚାଷ ଜମିକୁ ଆଣିଛନ୍ତି ଝରଣା ପାଣି । ଏହି କାର୍ୟ୍ୟ ପାଇଁ ତାଙ୍କୁ ସାରା ଦେଶରୁ ପ୍ରଶଂସା ମିଳିଛି । ୨୦୧୯ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମନୀତ କରିଛନ୍ତି । ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ବିଭିନ୍ନ ସଭା ସମିତିକୁ ଅତିଥି ଭାବେ ନିମନ୍ତ୍ରଣ ମିଳୁଛି, ହେଲେ ପେଟ ପାଇଁ କାମ ମିଳୁନି । ଏହି ପଦ୍ମଶ୍ରୀ ପୁରସ୍କାର ଏବେ ତାଙ୍କ ଦୈନଦିନ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି କରିଛି । ସମ୍ମାନ ଜନକ ପୁରସ୍କାରର ଅଧିକାରୀ ହେବା ପରେ ଆଉ ମୂଲ ମଜୁରି ମିଳୁନାହିଁ । ଫଳରେ ଭୋକିଲା ରହିବାକୁ ପଡୁଛି । ଇନ୍ଦିରା ଆବାସ ଅଧାଗଢ଼ା, ଚାଳ ଘରେ ପରିବାର । ଛେଳି ଗୁହାଳରେ ଝୁଲୁଛି ମାନପତ୍ର । ତେଣୁ କ୍ଷୋଭର ସହ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବାକୁ ନିଷ୍ପତି ନେଇଛନ୍ତି ଦୈତାରୀ ନାୟକ ।