ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ନେଇ ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ
ନୂଆଦିଲ୍ଲୀ : ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ସଂପର୍କରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଲୋକସଭାରେ ପ୍ରଶ୍ନ ପଚାରିଛନ୍ତି । ସାଂସଦଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଥିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନାର ବିସ୍ତତ ତଥ୍ୟ, ଦେଶରେ ଜିଲ୍ଲା ୱାରୀ ଫସଲ ଉତ୍ପାଦନ ବିଶେଷ କରି ଓଡ଼ିଶା ପାଇଁ କଣ ରହିିଛି ବୋଲି ପ୍ରଶ୍ନ କରିଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ।
ଏହା ସହ ନିର୍ଦ୍ଦିଷ୍ଟ ଶସ୍ୟ କିମ୍ବା ଉତ୍ପାଦ ପାଇଁ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସହାୟତା ନେଇ ମଧ୍ୟ ପଚାରିଥିଲେ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଉତ୍ତର ରଖିଥିଲେ । ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା କୃଷି ଓ କୃଷି ସମ୍ବନ୍ଧୀୟ କ୍ଷେତ୍ର ପାଇଁ ଦେଶର ୭୨୮ଟି ଜିଲ୍ଲାକୁ ବ୍ୟାପିିଛି । ଜିଲ୍ଲାୱାରୀ ଓ ରାଜ୍ୟୱାରୀ ଉତ୍ପାଦକୁ ଚିହ୍ନଟ କରାଯାଇଛି। ଦେଶରେ ଲାଗୁ ହୋଇଥିବା କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନା ଯେଭଳି ସମନ୍ଵିତ ଉଦ୍ୟାନକୃଷି ବିକାଶ- MIDH, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ଜାତୀୟ କୃଷି ବିକାଶ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା ସହ ପଶୁସଂପଦ, ମତ୍ସ୍ୟପାଳନ ମନ୍ତ୍ରାଳୟର ବିଭିନ୍ନ ଯୋଜନାକୁ ମଧ୍ୟ ଏଥିରେ ସାମିଲ କରାଯାଇଛି।
ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ପାଇଁ କେନ୍ଦ୍ରୀୟ ପ୍ରାୟୋଜିତ ପିଏମଏଫଏମଇ ଯୋଜନା ଦ୍ୱାରା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରାଳୟ ଆର୍ଥିକ ସହାୟତା ଯୋଗାଇ ଦେଉଛି। ପୂର୍ବରୁ ଥିବା ମାଇକ୍ରୋ ଫୁଡ ପ୍ରସେସିଂ ଏଣ୍ଟରପ୍ରାଇଜର୍ସର ଉନ୍ନତିକରଣ ପାଇଁ ପିଏମଏଫଏମଇ ଆର୍ଥିକ, ବୈଷୟିକ ଓ ବାଣିଜ୍ୟିକ ସହାୟତା ଯୋଗାଇ ଦେଉଛି।
ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରଶ୍ନ କରିଥିଲେ ଯେ ଏହି ଯୋଜନାରେ ଓଡ଼ିଶାର କୌଣସି ଉତ୍ପାଦର ସମନ୍ଵିତ ରପ୍ତାନୀ ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଇଛି କି? ଯଦି ହୋଇଛି, ଏହାର ସମୟ ସୀମା ନିର୍ଦ୍ଧାରଣ ହୋଇଛି କି?
ଉଭୟ ରାଜ୍ୟର ଚାହିଦା ଓ ରପ୍ତାନୀ ପାଇଁ ପ୍ରତି ଜିଲ୍ଲାର ଉତ୍ପାଦିତ ସାମଗ୍ରୀ ନିରୂପଣ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଓଡ଼ିଶାରେ କନ୍ଧମାଳ ଜିଲ୍ଲା ପାଇଁ ହଳଦୀ, କେନ୍ଦୁଝର ଜିଲ୍ଲା ପାଇଁ ହରଡ଼, କୋରାପୁଟ ଜିଲ୍ଲା ପାଇଁ ଅଦା, ମାଲକାନଗିରି ପାଇଁ ମାଣ୍ଡିଆ, ମୟୂରଭଞ୍ଜ ପାଇଁ ମହୁଚାଷ ଆଦି ସ୍ଥିର ହୋଇଛି।
ପିଏମଏଫଏମଇ ଯୋଜନାରେ ଏହାର ବ୍ୟାକୱାର୍ଡ ଓ ପରୱାର୍ଡ ଲିଙ୍କେଜକୁ ସଶକ୍ତ କରିବାକୁ ପରିକଳ୍ପନା କରାଯାଇଛି। ସାଧାରଣ ସୁବିଧା, ଇନକ୍ୟୁବେସନ ସେଣ୍ଟର, ପ୍ରଶିକ୍ଷଣ, ରିସର୍ଚ୍ଚ ଆଣ୍ଟ ଡେଭଲପ୍ମେଣ୍ଟ, ମାର୍କେଟିଂ ଓ ବ୍ରାଣ୍ଡିଂକୁ ଧ୍ୟାନ ରଖାଯାଇଛି। ଏହି ଯୋଜନା ୫ ବର୍ଷ ପାଇଁ ୨୦୨୦-୨୧ରୁ ୨୦୨୪-୨୪ ପର୍ଯ୍ୟନ୍ତ ପ୍ରଣୟନ କରାଯାଇଛି । ଓଡ଼ିଶା ସରକାରଙ୍କ ତତ୍ତ୍ୱାବଧାନରେ କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନୀ ବିକାଶ ପ୍ରାଧିକରଣ ଉତ୍ପାଦର ରପ୍ତାନୀ ନୀତି ପ୍ରସ୍ତୁତ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।