ନୂଆ ରୂପ ପାଇବ ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍ ରେଳ ଷ୍ଟେସନ, ୧୯.୫୩ କୋଟି ଟଙ୍କାର ବ୍ୟୟ ଅଟକଳ

ଭୁବନେଶ୍ୱର : ନୂଆ ରୂପ ପାଇବାକୁ ଯାଉଛି ଭୁବନେଶ୍ବରର ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍ ରେଳ ଷ୍ଟେସନ । ଏହି ପ୍ରସ୍ତାବିତ ଲିଙ୍ଗରାଜ ଟେମ୍ପଲ ରୋଡ଼୍ ରେଳ ଷ୍ଟେସନର ଉନ୍ନତିକରଣ ଏବଂ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପୂର୍ବତଟ ରେଳବାଇର ଡିଆରଏମ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନିଜେ ଅପରାଜିତା ଷ୍ଟେସନ ପରିସରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଟିକିନିଖି ବୁଝିଥିଲେ । ଏହି ଉନ୍ନତିକରଣ ପ୍ରକଳ୍ପ ଲାଗି ମୋଟ୍ ୧୯.୫୩ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ପ୍ରସ୍ତାବିତ ପ୍ରକଳ୍ପରେ ୭୬୫ ବର୍ଗ ମିଟରର ଗ୍ରାଉଣ୍ଡ ପ୍ଲସ୍ ୨ର ଏକ ନୂତନ ଷ୍ଟେସନ ବିଲ୍ଡିଂ ନିର୍ମାଣ କରାଯାଉଛି । ବର୍ତ୍ତମାନ ଷ୍ଟେସନର ସାମ୍ନା ପଟକୁ ମୁହଁକରି ଥିବା ୧୧ଶହ ବର୍ଗ ମିଟରର ବିଲ୍ଡିଂର ନବୀକରଣ ଓ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି ।

ପୁନଃବିକାଶ ଯୋଜନାରେ କଣ ଅନ୍ତର୍ଭୁକ୍ତ ହେବ –

୧୨ ମିଟର ଓସାରର ଏକ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ ।
୨୬୦ ବର୍ଗ ମିଟରର ଅଞ୍ଚଳରେ ଉଭୟ ଦୁଇ ଚକିଆ ଓ ତିନି ଚକିଆ ଯାନ ପାଇଁ ପୃଥକ୍ ପୃଥକ୍ ପାର୍କିଂସ୍ଥଳ ହେବ
୧୩୦ ବର୍ଗ ମିଟରର ଏକ ପ୍ରତୀକ୍ଷାଳୟ ମଧ୍ୟ ନିର୍ମାଣ ହେବ ।
ଉଭୟ ପୁରୁଷ ଏବଂ ମହିଳାଙ୍କ ଲାଗି ୬୫ ବର୍ଗମିଟରର ପ୍ରିମିୟମ୍ ମଡ୍ୟୁଲାର ଟଏଲେଟ୍
୧, ୨ ଏବଂ ୩ ନଂବର ପ୍ଲାଟଫର୍ମରେ ଗ୍ରାନାଇଟ୍ ଏବଂ ମୋଜାଇକ୍ ଚଟାଣ ଲାଗି ମଧ୍ୟ ଯୋଜନା ରହିଛି ।
୨୯ ବେଜ୍ ର ଅତିରିକ୍ତ ପ୍ଲାଟଫର୍ମ ସେଲ୍ଟର ନିର୍ମାଣ କରାଯିବ ।

ଏହି ୨୯ ବେଜ୍ ମଧ୍ୟରେ ୧୩ ବେଜ୍ ର ସେଲ୍ଟର ୧ ନଂବର ଏବଂ ୨ ନଂବର ପ୍ଲାଟଫର୍ମ ଲାଗି , ଆଉ ୧୬ ବେଜ୍ ର ସେଲ୍ଟର ୩ ନଂବର ପ୍ଲାଟଫର୍ମ ଲାଗି ନିର୍ମାଣ କରାଯିବ । ତାଛଡ଼ା କୋଚ୍ ଇଣ୍ଡିକେସନ ବୋର୍ଡ, ଟ୍ରେନ୍ ଇଣ୍ଡିକେସନ ବୋର୍ଡ ଏବଂ ସାଇନେଜ୍ ଲାଗି ମଧ୍ୟ ଅନୁଦାନ ଦେଇଛି ରେଳ ମନ୍ତ୍ରାଳୟ ।

ଅନ୍ୟପଟେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ପରେ କାର୍ଯ୍ୟର ଅଗ୍ରଗତି ଏବଂ ମାନକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ରେଳ ନବୀକରଣ କାମ ପାଇଁ ଭୀମଟାଙ୍ଗିର ଅଂଚଳବାସୀ ଅନେକ ବାର ଭୁବନେଶ୍ବର ସାଂସଦଙ୍କୁ ସାକ୍ଷାତ କରି ଅନୁରୋଧ କରି ଦାବି ଜଣାଇଥିଲେ । ଏହି କ୍ରମରେ ଭୁବନେଶ୍ବର ସାଂସଦ ଏହି ଉନ୍ନତିକରଣ କାମ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ । ନିଜେ ରେଳ ମନ୍ତ୍ରୀଙ୍କୁ ସାକ୍ଷାତ ମଧ୍ୟ କରି 20 କୋଟି ଟଙ୍କା ମଞ୍ଜୁର କରାଇଥିଲେ । ବର୍ତ୍ତମାନ ରେଳ ଉନ୍ନତିକରଣ କାମ ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ । ଆଗାମୀ ୩୧ ଅକ୍ଟୋବର 2025 ସୁଦ୍ଧା ଏହି ରେଳ ଉନ୍ନତିକରଣ କାମ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

ଆହୁରି ପଢ଼ନ୍ତୁ : ମନୋଜ କୁମାର ପରିଡା ହେଲେ ନୂଆ ମୁଖ୍ୟ ସୂଚନା କମିସନର, ନିଯୁକ୍ତି ଦେଲେ ରାଜ୍ୟ ସରକାର