ଦୁର୍ଦ୍ଦିନରେ ମୃଦଙ୍ଗ କାରିଗର, ଏମାନଙ୍କ ଜୀବନ ଜୀବିକା ଏବେ ସଙ୍କଟରେ

କଣ୍ଟାମାଳ: ଦୁର୍ଦ୍ଦିନରେ ମୃଦଙ୍ଗ କାରିଗର । କୌଳିକ ବୃତ୍ତିକୁ ଆଦରି ଅଭାବରେ ବିତୁଛି ଜୀବନ । ଏମାନଙ୍କ ପାଖରେ ନା ଅଛି କଳାକାର ଭତ୍ତା ନା ଅଛି ସରକାରୀ ସହାୟତା । ତଥାପି ନିଜର କୌଳିକ ବୃତ୍ତିକୁ ଛାଡ଼ି ନାହାନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଣ୍ଡାମାଳ ଗାଁର ମୃଦଙ୍ଗ କାରିଗର ।
ତେବେ ହାତର ଯାଦୁଗରୀ ଓ ନିର୍ମାଣଶୈଳୀ ଏମାନଙ୍କ ପରିଚୟ । ଏମାନେ ତିଆରି କରୁଛନ୍ତି ମୃଦଙ୍ଗ, ଢୋଲ, ନିଶାନ, ତାସା ଭଳି ବିଭିନ୍ନ ବାଦ୍ୟଯନ୍ତ୍ର । କେଉଁ ବାପ ଅଜା ଅମଳରୁ ପିଢ଼ି ପରେ ପିଢ଼ି ଆପଣେଇଛନ୍ତି ନିଜର କୌଳିକ ବୃତ୍ତି । ଲୋକବାଦ୍ୟ, ଲୋକସଂସ୍କତି ପାଇଁ ଆବଶ୍ୟକ ହୋଇଥାଏ ବାଦ୍ୟ । ଆଉ ଏ ବାଦ୍ୟ ତିଆରି କରିଥାନ୍ତି ଏମାନେ । ଦିନ ରାତି ଏକ କରି ସେମାନେ ତିଆରି କରିଥାନ୍ତି ଏହି ବାଦ୍ୟଯନ୍ତ୍ର ।
ହେଲେ ଏହି ବାଦ୍ୟ କାରିଗରମାନେ ଅବହେଳିତ । ବର୍ଷ ତମାମ ଅଭାବ ଅନାଟନରେ ବିତୁଛି ଏହି ବାଦ୍ୟ କାରିଗର ପରିବାରଙ୍କ ଜୀବନ । ବଜାରରେ ଚମଡା, ସୂତା ସହିତ ମାଟିର ଛାଞ୍ଚ ଦାମ୍ ବଢ଼ିଥିବାବେଳେ, ପରିଶ୍ରମ ତୁଳନାରେ ସେମାନଙ୍କୁ ପାରିଶ୍ରମିକ ମଧ୍ୟ ମିଳୁନାହିଁ । ଲାଭ ମିଳୁ ନଥିବାରୁ ନିଜର କୌଳିକ ବୃତ୍ତିକୁ ଅନେକ ଧୀରେ ଧୀରେ ଛାଡ଼ି ଦେଲେଣି । ହେଲେ ଏବେ ବି ବୌଦ୍ଧ ଜିଲ୍ଲା ପଲଶାଗୋରା ପଞ୍ଚାୟତ କୁଣ୍ଡାମାଳ ଗାଁର ଦଶରୁ ଅଧିକ ପରିବାର ଏହି କାମ କରି ଆସୁଛନ୍ତି ।
ସରକାର କଳାକାରମାନଙ୍କୁ ଏବେ କଳାକାର ଭତ୍ତା ଦେଉଛନ୍ତି । ହେଲେ ଯେଉଁ ମୃଦଙ୍ଗ ବାଦ୍ୟକୁ ନେଇ କଳାକାର ଲୋକପ୍ରିୟ ହୋଇଥାଏ, ସେହି ମୃଦଙ୍ଗ କାରିଗର ଏବେ ଅବହେଳିତ । ସେମାନଙ୍କୁ ନା ମିଳୁଛି ଭତ୍ତା ନା ମିଳୁଛି ସରକାରୀ ସହାୟତା । ସରକାର ସେମାନଙ୍କୁ କୁଶଳୀ ଶ୍ରମିକର ମାନ୍ୟତା ମଧ୍ୟ ଦେଇନାହାନ୍ତି । ଫଳରେ ଦିନ ରାତି ପରିଶ୍ରମ କରୁଥିବା ଏହି କୁଶଳୀ ବାଦ୍ୟ କାରିଗରଙ୍କ ଜୀବନ ଜୀବିକା ଏବେ ସଙ୍କଟରେ । ତେଣୁ ସରକାର ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।