କାଳବୈଶାଖୀ ପ୍ରଭାବ, ପାଟଣାଗଡ଼ ଅଞ୍ଚଳରେ ମୁଗ ଫସଲ ନଷ୍ଟ ଅଭିଯୋଗ

ପାଟଣାଗଡ଼: ଅଦିନିଆ କାଳବୈଶାଖୀ ବର୍ଷା । ପବନ ସାଙ୍ଗକୁ କୁଆପଥର ମାଡ଼ । ସବୁକିଛି ନଷ୍ଟ କରିଦେଲା । ଏବେ ଚିନ୍ତାରେ ଚାଷୀ । କେମିତି ଋଣ ସୁଝିବ । ମୁଗ ଚାଷ ଭଲ ହୋଇଥିଲେ ଦୁଇ ପଇସା ଲାଭ ବାହାରି ଥାଆନ୍ତା । କିନ୍ତୁ ଅଦିନିଆ ବର୍ଷା ଚାଷୀ ମୁହଁରୁ ହସକୁ ଛଡାଇ ନେଇଛି । ପାଟଣାଗଡ଼ ଅଞ୍ଚଳକୁ ଅସ୍ତବ୍ୟସ୍ତ କରିଦେବା ସହିତ ଅଞ୍ଚଳରେ ଖରାଦିନିଆ ମୁଗଫସଲକୁ ନଷ୍ଟ କରିଦେଇଛି କାଳବୈଶାଖୀ ବର୍ଷା । ବହୁ ଖକଷ୍ଟରେ ଖରାରେ ପାଣି ଦେଇ ଚାଷ କରିଥିବା ମୁଗଫସଲ ନଷ୍ଟ ହେଉଥିବା ଦେଖି ସହିପାରୁନି ଚାଷୀ ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଘସିଏନ ଅଞ୍ଚଳରେ କାଳବୈଶାଖୀ ରଚିଛି ତାଣ୍ଡବ । କାଳ ବୈଶାଖୀ ପ୍ରଭାବରେ ଅଞ୍ଚଳରେ ପ୍ରାୟ ଦୁଇରୁ ତିନିଘଣ୍ଟା ବର୍ଷା ପବନ ସାଙ୍ଗକୁ କୁଆ ପଥର ମାଡ଼ ହୋଇଥିଲା । ଫଳରେ ଗଛ ଭାଙ୍ଗିବା ସହିତ ଅଞ୍ଚଳର ମୁଗ ଚାଷ ନଷ୍ଟ ହୋଇଯାଇଛି । ଅମଳ ସମୟରେ ବର୍ଷା ଓ କୁଆପଥର ମାଡ଼ରେ ୮୦% ମୁଗ ନଷ୍ଟ ହୋଇ ଯାଇଥିବା କହିଛନ୍ତି ଚାଷୀ । କିଛି ଚାଷୀ ମୁଗ ଗଛ କାଟି ବିଲରେ ଶୁଖାଇ ଥିଲେ । କିନ୍ତୁ ବର୍ଷା ପ୍ରଭାବରେ ସେଗୁଡିକ ଗଜା ହୋଇଯିବା ସମ୍ଭାବନା ଥିବାବେଳେ ଗଛରେ ଥିବା ମୁଗ ଛୁଇଁ ଗୁଡ଼ିକ କୁଆପଥର ମାଡ଼ରେ ଝଡି ଯାଇଛି ।

ପାଟଣାଗଡ଼ ଅଞ୍ଚଳରେ ଗତ ସେପ୍ଟେମ୍ବର ମାସରୁ ପ୍ରାୟ ବର୍ଷା ହୋଇନଥିବା ବେଳେ ମାର୍ଚ୍ଚ ମାସ ଆରମ୍ଭରୁ ଅଞ୍ଚଳରେ ଖରାର ପ୍ରକୋପ ବଢିଲା । ଏହା ସହିତ ଜଳସ୍ତର କମି ଯାଇଥିଲା । ତେବେ ଚାଷୀ ମୁଗ ଫସଲକୁ ବହୁ କଷ୍ଟରେ ବଞ୍ଚାଇଥିଲେ । ହେଲେ ଅଦିନିଆ କାଳ ବୈଶାଖୀ ବର୍ଷା ଓ କୁଆପଥର ମାଡ଼ରେ ୮୦ % ମୁଗଚାଷ ନଷ୍ଟ ହୋଇଯାଇଛି।  ଓଦା ହୋଇଯାଇଥିବା ମୁଗକୁ କିପରି ବଞ୍ଚାଇ ପାରିବ ସେଥିପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛି ଚାଷୀ ।

କାଳବୈଶାଖୀ, ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟାଇଥିବା ବେଳେ ଧାରଉଧାର କରି ମୁଗଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । ଏଣୁ ସରକାରୀ ସ୍ତରରେ ଚାଷୀର ଦୁଃଖ ବୁଝିବା ସହିତ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ କରିବା ପାଇଁ ଅଞ୍ଚଳବାସୀ ଦାବି ରଖିଛନ୍ତି ।

Also Read: ୩ ଦିନ ଯାଏ କାଳବୈଶାଖୀ ବର୍ଷା, ୬ରୁ ପୁଣି ବଢ଼ିବ ତାତି