ଭଞ୍ଜନଗର : “ପାପ କେବେ ଲୁଚି ରହେନା” ଏକଥା ଆମେ ସମସ୍ତେ ଜାଣିଛେ । ଆଉ ଏକଥା ବି ଅନେକଙ୍କ ଅନୁଭୂତିକୁ ଆସିଥିବ, “ଲୁଚାଇ ଦିଆଯାଉଥିବା ପାପ, ବେଶି ଦିନ ତିଷ୍ଠି ରହି ପାରେନା” । ଆମେ କହୁଛୁ, ଗଂଜାମ – କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ନଜରକୁ ଆସିଥିବା ଏକ ନାରକୀୟ ହତ୍ୟାକାଣ୍ଡର ଘଟଣା ବିଷୟରେ । ଅଭିଯୁକ୍ତମାନେ ଜଣେ ଯୁବକକୁ ମାରିଦେବା ପରେ ଅତି ଚତୁରତାର ସହ, ମୃତଦେହକୁ ଘାଟି ତଳକୁ ଫୋପାଡ଼ି ଦେଲେ । ଖାଲି ଏତିକିରେ ସରିଲାନି, ଏହା ସତ୍ବେ ବି ଅଭିଯୁକ୍ତମାନେ ଆହୁରି ଚତୁରନୀତି ଆପଣେଇଲେ, ଭାବିଲେ ଏମିତି ଫୋପାଡିଦେଲେ ତ କୌଣସି ପ୍ରକାରେ ମୃତ ଦେହରୁ ଦୁର୍ଗନ୍ଧ ଆସିପାରେ । ଏମିତି ତ ହତ୍ୟା ବିଷୟରେ କେହି ଜାଣି ଦେବେ । ତେଣୁ ପରଦିନ ସମସ୍ତ ଅଭିଯୁକ୍ତ ସଂପୃକ୍ତ ଘାଟି ତଳକୁ ପକାଇଥିବା ମୃତ ଦେହକୁ ନେଇ ପୁଣି ଘାଟିର ଦେଢ଼ଶହ ଫୁଟ ତଳକୁ ଚାଲିଗଲେ । ସେଠି ଗାତ ଖୋଳିଲେ, ସାଥିରେ ନେଇଥିବା ଲୁଣ ପକାଇ ମୃତ ଦେହକୁ ପୋତିଦେଲେ ।
ଏବେ ଅଭିଯୁକ୍ତ ମାନେ ନିଶ୍ଚିତ ହେଲେ ଯେ ଏଥର ଆଉ ଦୁର୍ଗନ୍ଧ ବାହାରିବନି କି ଘାଟି ତଳୁ ମୃତଦେହର ସନ୍ଧାନ କେହି ପାଇବେ ନାହଁ । ହେଲେ ଲୁଚାଇ ଦିଆଯାଇଥିବା ପାପ ବେଶି ଦିନ ଲୁଚି ରହିଲା ନାହିଁ । ଆଖି ପାଉନଥିବା ଘାଟିତଳର ଅନ୍ଧାର ଭିତରୁ, ମାତ୍ର ୧୫ ଦିନ ଭିତରେ ସତ ବାହାରି ଆସିଲା ଘାଟି ଉପରକୁ । ଗିରଫ ହେଲେ ସମସ୍ତ ୩ ଅଭିଯୁକ୍ତ । ଯାହାର ଶ୍ରେୟ ନେଇଛି, ଗଂଜାମ ଜିଲ୍ଲା ଭଂଜନଗର ପୋଲିସ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ର ସୂତ୍ରପାତ ହେଲା, ଗୁଣି-ଗାରେଡି ସନ୍ଦେହ । ଫଳ ସ୍ଵରୁପ ଏହି ହତ୍ୟାକାଣ୍ଡର ଶିକାର ହୋଇଥିଲେ, ଭଂଜନଗର ଥାନା ଅନ୍ତର୍ଗତ ଜି.ରମ୍ଭା ଗ୍ରାମର ଯଜ୍ଞ ପ୍ରଧାନ ।
ମୃତକ ଯଜ୍ଞ ପ୍ରଧାନ ଏବଂ ନିକଟସ୍ଥ ଗାଲେରୀ ଗାଁର ମିଟୁ ଗୈାଡ । ଉଭୟେ ହେଉଛନ୍ତି “ମଦ-ପିଆ” ବନ୍ଧୁ । ବନ୍ଧୁତା କହିଲେ ଏମାନେ କେବଳ ବୁଝିଥିଲେ, ଏକାଠି ବସି ମଦ ପିଇବା । ତେବେ ଏହା ଭିତରେ ମିଟୁ ଏବଂ ତା’ ପରିବାର ସଦସ୍ୟଙ୍କ ବାରମ୍ବାର ସ୍ବାସ୍ଥ୍ୟ ଖରାପ ହେଲା । ମିଟୁର ମଗଜକୁ ଛୁଇଁଲା, ଏହା ଗୁଣି-ଗାରେଡି ଯୋଗୁ ଆଉ ହେଉନି ତ । ଏଥିପାଇଁ ମିଟୁ ଯଜ୍ଞକୁ ସନ୍ଦେହ କଲା । ସେ ହିଁ ଏଭଳି କରିଥାଇପାରେ ବୋଲି, ଆଶଙ୍କା କଲା । ମିଟୁ ମନେ ମନେ ଚିନ୍ତା କଲା, “ମୁଳୁ ମାଇଲେ ଜୀବ ସରି” । ଘଟଣାର ଦୁଇମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କଲା । ସେ ଦିନଥିଲା ୩୦-୦୭-୨୦୨୪ । ମଦ ପିଇବାକୁ କହି ଯଜ୍ଞ କୁ ଡ଼ାକି ନେଲା, ମିଟୁ । ଦୁଇ ସହଯୋଗୀ ମଧ୍ୟ ସାଥିରେ ଥିଲେ । ସେହିଦିନ ଠାରୁ ଯଜ୍ଞ, ଘରକୁ ଫେରିନଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ, ତାଙ୍କର କୈାଣସି ସନ୍ଧାନ ପାଇନଥିଲେ । ପରିବାର ଯଜ୍ଞ ନିଖୋଜ ସଂକ୍ରାନ୍ତରେ, ଗତ ୧୦ ତାରିଖରେ ଭଂଜନଗର ଥାନାରେ ଲିଖିତ ଅଭିଯୋଗ କଲେ, ବଡ ଭଉଣୀ । ସେପଟେ, ଘଟଣା ଦିନ ଏକ ଜଙ୍ଗଲିଆ ରାସ୍ତାରେ ଯଜ୍ଞର ବେକରେ ଗାମୁଛା ଭିଡ଼ି, ଶ୍ୱାସରୁଦ୍ଧ କରି ହତ୍ୟା କରିଦେଲା, ମିଟୁ । ଦୁଇ ସହଯୋଗୀଙ୍କ ସହଯୋଗରେ ଯଜ୍ଞର ମୃତ ଦେହକୁ ନେଇ, କଳିଙ୍ଗା ଘାଟିରୁ ତଳକୁ ଫୋପାଡି ଦେଲେ ।
ଅଭିଯୋଗ ପ୍ରକାରେ,ମୁଖ୍ୟ ଅଭିଯୁକ୍ତ ମିଟୁକୁ ଧରିବାରେ ସଫଳ ହେଲା ଭଂଜନଗର ପୋଲିସ । ହତ୍ୟାକାଣ୍ଡ ସ୍ଥାନ ଏବଂ କଳିଙ୍ଗା ଘାଟି ତଳେ ପଡ଼ିଥିବା ମୃତଦେହ ପୋଲିସକୁ ଦେଖାଇଲା । ପରିବାର ଲୋକେ ମଧ୍ୟ ପହଞ୍ଚି ଗଳିତ ଶବକୁ ଚିହ୍ନିଲେ । ହତ୍ୟା ସମୟର ସମସ୍ତ ଘଟଣା, ଗୋଟି ଗୋଟି କରି ପୋଲିସ୍ ଆଗରେ କହିଦେଲା ଅଭିଯୁକ୍ତ ମିଟୁ । ଶୁଣନ୍ତୁ ଘଟଣା ସ୍ଥଳରେ କ’ଣ ପ୍ରତିକ୍ରିୟା ଦେଲା, ଅଭିଯୁକ୍ତ ମିଟୁ । ମୁଖ୍ୟ ଅଭିଯୁକ୍ତ ସମେତ ଆଉ ଦୁଇ ସହଯୋଗୀ ମଧ୍ୟ ଧରାପଡିଲେ । ସମସ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଏହା ପଛରେ ରହିଥିବା ଗୁଣି-ଗାରେଡି ଭଳି ମାନସିକତା ଯୋଗୁଁ ଏଭଳି ହତ୍ୟାକାଣ୍ଡ ସୃଷ୍ଟି ହେଲା ବୋଲି ପରବର୍ତ୍ତୀ ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଭଂଜନଗର ଏସଡିପିଓ ।
ଏହି ଘଟଣାକୁ ଆମେ ବିସ୍ତୃତ ଭାବରେ ଦେଖାଇବା ଏଥିପାଇଁ ଆବଶ୍ୟକ ମନେକଲୁ, ବ୍ୟାପକ ସଚେତନ ସତ୍ବେ ଗଂଜାମ ଜିଲ୍ଲାର କିଛି ଲୋକଙ୍କ ମନରେ ଏବେ ବି’ ଗୁଣି-ଗାରେଡି ଭଳି ଦୁର୍ବଳ ମାନସିକତା ବଳବତ୍ତର ରହିଛି । ଦେହ ଅସୁସ୍ଥ ହେଲେ କିମ୍ବା କୌଣସି ଅଘଟଣ ଘଟିଲେ, ଗୁଣି ପ୍ରୟୋଗ ହୋଇଛି ବୋଲି ମନେକରନ୍ତି । ଚିକିତ୍ସା କିମ୍ବା ସମାଧାନର ବାଟ ଖୋଜିବାକୁ, ଚାହାଁନ୍ତିନି । ଘଟାଇ ଚାଲନ୍ତି, ଗୋଟିଏ ପରେ ଗୋଟିଏ ନାରକୀୟ ଘଟଣା । ସ୍ବଭାବିକ ପରିସ୍ଥିତିକୁ, ଅସ୍ବଭାବିକ ଆଡ଼କୁ ଟାଣି ନିଅନ୍ତି । ଯାହାର ଉଦାହରଣ, ଅତୀତରେ ଅନେକ ରହିଛି । ଏଭଳି କଳଙ୍କିତ ମାନସିକତାରେ ପୁଣି ଏବେ ଯୋଡି ହେଲା, କଳିଙ୍ଗା ଘାଟିରେ ଯଜ୍ଞ ପ୍ରଧାନ ହତ୍ୟା ଘଟଣା । ଜେଲ୍ ପାଲଟିଗଲା, ୩ ଅଭିଯୁକ୍ତଙ୍କ ନୂଆଁ ଠିକଣା । ଏଣୁ ଏଥିପାଇଁ ସମସ୍ତେ ସତର୍କ ଏବଂ ସଚେତନ ହେବା, ପୁଣି ଜରୁରୀ ହୋଇଛି ।