ସାମାନ୍ୟ କଥାରୁ ହତ୍ୟାକାଣ୍ଡ, ଆଇସକ୍ରିମବାଲାର ଜୀବନ ନେଇଗଲା ଦାଦନ ଫେରନ୍ତା ଯୁବକ

ଆନନ୍ଦପୁର: କଳୁଷିତ ହୋଇଗଲାଣି ସମାଜ । ଏବେ କାହାକୁ କଥା କହିବାକୁ ମଧ୍ୟ ଡର ଲାଗିଲାଣି । କାରଣ କଥା କଥାକେ ଆଜିକା ଲୋକେ ହତ୍ୟା କରିବାକୁ ବି ପଛାଉନାହାନ୍ତି ।ସାମାନ୍ୟ କଥାକୁ କେନ୍ଦ୍ରକରି ମାରଣାସ୍ତ୍ର ଆକ୍ରମଣରେ ଯୁବକଙ୍କ ଜୀବନ ନେଇଗଲା ଦାଦନ ଫେରନ୍ତା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଫକୀରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁର ବିରାଟ ମଳିକ ଆଇସକ୍ରିମ ବେପାର କରି ନିଜର ଛୋଟ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଆଜି ବିରାଟ ଆଉ ନାହାନ୍ତି । ତାଙ୍କ ଆଇସକ୍ରିମ ବାକ୍ସ ସେମିତି ପଡ଼ିଛି ।
ଦୁଇ ପୁଅ ଓ ପତ୍ନୀଙ୍କୁ ନେଇ ହସଖୁସିରେ ଚାଲିଥିଲା ୪ ଜଣିଆ ପରିବାର । ତେବେ ବୁଧବାର ସନ୍ଧ୍ୟାରେ ଆଇସକ୍ରିମ ଫାକ୍ଟ୍ରିରେ ହିସାବପତ୍ର ସାରି ଘରକୁ ଫେରୁଥିବା ବେଳେ ବିରାଟଙ୍କ ସହ ଘଟିଲା ଅଘଟଣ । ନିଜ ଗାଁର ସୁବାସ ମଳିକ ନାମକ ଜଣେ ଯୁବକ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ବିରାଟଙ୍କ ଭୁଲ ଏୟା ଥିଲା ଯେ ସେ ସୁବାସକୁ ଥଟ୍ଟାରେ କ’ଣ ପଦିଏ କହି ଦେଇଥିଲେ । ପୂର୍ବରୁ ସୁବାସର ଭାଇ ଏକ ଜମି ବିକ୍ରି କରିଥିବା ବେଳେ ସେଥିରେ ମଧ୍ୟସ୍ଥି ସାଜିଥିଲେ ବିରାଟ । ଜମି ବିକ୍ରି ପରେ ସୁବାସଙ୍କ ଭାଇ ତାଙ୍କୁ କୌଣସି ପ୍ରାପ୍ୟ ଦେଇ ନଥିଲେ ।
ତେଣୁ ସେ ବିରାଟଙ୍କୁ ବେଳେ ବେଳେ ପଇସା ମାଗନ୍ତି । ସୁବାସ ବେଙ୍ଗାଲୁରୁରେ କାମ କରୁଥିବା ବେଳେ ୭ ଦିନ ପୂର୍ବରୁ ଘରକୁ ଫେରିଥିଲେ । ତେବେ ବେଙ୍ଗାଲୁରୁରୁ ଫେରିବା ପରେ ଗାଁରେ ସୁବାସ ନିଜ ସହିତ ଏକ ଭୁଜାଲି ନେଇ ବୁଲୁଥିବାର ଅନେକ ଲୋକ ଦେଖିଛନ୍ତି । ତେବେ ପୁରୁଣା ଜମି ବିକ୍ରି କଥା ହେଉ କିମ୍ବା ବିରାଟଙ୍କ ଥଟ୍ଟା ମଜା କଥା ହେଉ ଏଥିରେ ଉତକ୍ଷିପ୍ତ ହୋଇ ସୁବାସ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଆଉ ସେଇଠି ହିଁ ଲହୁଲୁହାଣ ହୋଇ ଟଳି ପଡ଼ିଥିଲେ ବିରାଟ । ଘଟଣା ବିଷୟରେ ଜାଣିବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ।
ମାତ୍ର କିଛି ସମୟ ଭିତରେ ଗାଁର ଜଣକ ବାଡ଼ିରେ ଲୁଚିଥିବା ସୁବାସକୁ କାବୁ କରିଥିଲା ପୋଲିସ୍ । ତାକୁ ଅଧିକ ପଚରା ଉଚୁରା କରିବା ସହିତ ଅଧିକ ତଦନ୍ତ କରୁଛି । ଅନ୍ୟପଟେ ବିରାଟଙ୍କ ଏଭଳି ଅଚାନକ ମୃତ୍ୟ ଶକ୍ତ ଧକ୍କା ଦେଇଛି ତାଙ୍କ ପରିବାରକୁ । ରୋଜଗାରିଆ ଲୋକଟିକୁ ହରାଇ ସ୍ତବଧ ହୋଇ ଯାଇଛନ୍ତି ସ୍ତ୍ରୀ ଓ ପିଲାମାନେ । ସାମାନ୍ୟ କଥାରେ ଆଜି ଉଚ୍ଛନ୍ନ ହୋଇଯାଇଛି ଗୋଟିଏ ପରିବାର ।
ଏଭଳି ଦୁଃଖଦାୟୀ ଘଟଣାକୁ ନେଇ ଗାଁରେ ସମସ୍ତେ ଶୋକରେ ଡୁବି ଯାଇଛନ୍ତି । କିଏ ଏ ପରିବାରକୁ ସହାୟ ହେବ ? କିଏ ନେବ ବିରାଟଙ୍କ ଜାଗା ? ସ୍ତ୍ରୀ ହରାଇଛି ସ୍ବାମୀକୁ, ପିଲା ହରାଇଛନ୍ତି ବାପାକୁ । ମୃତ୍ୟୁ ତ ଆସିବ ସମସ୍ତଙ୍କ ପାଖକୁ ହେଲେ ଏଭଳି ମୃତ୍ୟୁନା କୌଣସି ପରିବାର ନା ସମାଜ ପାଇଁ ମଙ୍ଗଳକର ।
Also read: ନାବାଳକ ନିଖୋଜ ହେବାର ବିତିଲା ୪ ଦିନ, ଅଭିଯୁକ୍ତର ଟେର ପାଉନି ପୋଲିସ