ଶାଳୀକୁ ନିଜର କରିବାକୁ ଚାହୁଁଥିଲା ଭିଣେଇ, ରାସ୍ତାରୁ ହଟାଇଦେଲା ଶାଳୀର ପ୍ରେମିକ ଓ ତାର ସାଙ୍ଗ

ଗଞ୍ଜାମ: ଶାଳୀକୁ ନିଜର କରିବାକୁ ଚାହୁଁଥିଲା ଭିଣେଇ । ଏକଥା ଜାଣିଦେଲା ଶାଳୀର ପ୍ରେମିକ । ସାଙ୍ଗ ସହ ମିଶି ରାସ୍ତାରୁ ହଟାଇଦେଲା ଭିଣେଇକୁ । ହେଲେ ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ । ଏବେ ପୋଲିସ ପଞ୍ଝାରେ ଦୁଇ ଅଭିଯୁକ୍ତ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରାମଚନ୍ଦ୍ରପୁର କାଳିଆଘାଇ କେନାଲ ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ମଙ୍ଗଳବାର ଦିନ ସକାଳୁ କେନାଲ ତଳେ ଦେଖିବାକୁ ମିଳିଥିଲା ଜଣକ ମୃତଦେହ । ଯାହାପରେ ସାରା ଗାଁରେ ଚହଳ ପଡି ଯାଇଥିଲା । ପରେ ଜଣାପଡିଥିଲା ମୃତକ ଜଣକ ହେଉଛନ୍ତି ପି. ସାମନ୍ତରାପୁର ଗାଁର ପି. ହୀନ ପାତ୍ର ।

ଏହି ହତ୍ୟାକାଣ୍ଡ ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ଘଟଣାର ମାତ୍ର ୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପାଟପୁର ଥାନା ପୋଲିସ । ୨ ଅଭିଯୁକ୍ତ ହେଲେ ଶେରଗଡ଼ ଥାନା ସୁନାନ୍ତରା ଗ୍ରାମର ଦୀପକ ଗୈାଡ ଏବଂ ଥୁରୁବୁରେଇ ଗ୍ରାମର ପିଙ୍କୁ ସେଠୀ । ଉଭୟଙ୍କୁ ଗିରଫ କରିବା ପରେ ସାମ୍ନାକୁ ଆସିଥିଲା ହତ୍ୟାକାଣ୍ଡର ରହସ୍ୟ । ପୋଲିସର ସୂଚନା ଅନୁଯାୟୀ ଭିଣେଇ ହୀନ ୬ ବର୍ଷ ପୂର୍ବେ ମାମୁଁ ଝିଅ ପି. ପୂଜାଙ୍କୁ ବିବାହ କରିଥିଲେ । ତେବେ ଅଭିଯୋଗ ଅନୁଯାୟୀ ଏହାରି ଭିତରେ ହୀନର ନଜର ପଡ଼ିଥିଲା ଶାଳୀ ଲିଜାଙ୍କ ଉପରେ ।

ଅନ୍ୟପଟେ ଲିଜା ଗାଁରେ ପାଠ ପଢୁଥିବା ବେଳେ ପାଖ ଗାଁର ଦୀପକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଉଭୟ ଅଲଗା ଜାତିର ହୋଇଥିବାରୁ ସେମାନଙ୍କ ବାହାଘର କରାଇବାକୁ ଚାହୁଁନଥିଲେ । ଏହାର ସୁଯୋଗ ନେଇ କୁଆଡ଼େ ହୀନ ନିଜ ଶାଳୀକୁ ପ୍ରେମ ନିବେଦନ କରିବା ସହ ଶାରିରୀକ ସମ୍ପର୍କ ରଖିବା ପାଇଁ କହିଥିଲା । କିନ୍ତୁ ଲିଜା ଏଥିରେ ରାଜି ନଥିଲେ । ପରବର୍ତ୍ତୀ ସମୟରେ ହୀନ ଏକ ଷଡ଼ଯନ୍ତ୍ର କରି ଲିଜାକୁ କହିଥିଲେ ୫୦ ହଜାର ଟଙ୍କା ଦେବି ଦୀପକକୁ ଧରି ଲୁଚିକି ପଳା ।

କିଛି ଦିନ ବାହାରେ ରହି ଆସିବା ପରେ ଶାଳୀକୁ ନିଜ ପାଖରେ ରଖିବାକୁ କହିଥିଲା ଭିଣେଇ ହୀନ । ତେବେ ଏହି ଘଟଣା ଲିଜା ଦୀପକକୁ କହିବା ପରେ ଭିଣେଇକୁ ପାନେ ଦେବା ପାଇଁ ଚକ୍ରବ୍ୟୁହ ରଚିଥିଲା ଦୀପକ । ସୋମବାର ଦିନ ହୀନ ବ୍ରହ୍ମପୁର ଯାଇଥିବା ଖବର ପାଇଥିଲେ ଦୀପକ ଓ ତାର ସାଙ୍ଗ ପିଙ୍କୁ । ଫେରିବା ବାଟରେ ପ୍ରେମିକ ଦୀପକ ଓ ପିଙ୍କୁ କାଳିଆଘାଇ ବ୍ରିଜ୍ ଉପରେ ହୀନଙ୍କୁ ଅଟକାଇ ଘଟଣା ସମ୍ପର୍କରେ ପଚାରି ଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ଦୀପକ ଓ ପିଙ୍କୁ ତାଙ୍କୁ ଆକ୍ରମଣ କରି କେନାଲ ଭିତରକୁ ଫିଙ୍ଗି ଦେଇଥିଲେ ।

ତେବେ ସେ ବଞ୍ଚିଥିବା ଜାଣିପାରି ପୁଣିଥରେ ତଣ୍ଟି ଚିପି ହତ୍ୟା କରି ଫେରାର ହୋଇଯାଇଥିଲେ ଦୀପକ ଓ ପିଙ୍କୁ । ମଙ୍ଗଳବାର ସକାଳୁ ପୋଲିସ ଖବର ପାଇ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ବୁଧବାର ଦିନ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ହତ୍ୟା କରାଯାଇଥିବା ଘଟଣା ସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ ପରେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ତେବେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Also read: ଚିକିତ୍ସିତ ହେବା ପାଇଁ ଆସିଥିଲେ ହସ୍ପିଟାଲ୍, ହେଲେ ଲିଫ୍ଟରେ ଚାଲିଗଲା ଜୀବନ