ଭୁବନେଶ୍ୱର କୋରଡ଼କଣ୍ଟା ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଘଟଣା: ଦେଢ଼ ମାସ ପରେ ମୁଖ୍ୟ ଅଭିଯୁକ୍ତ କୀର୍ତ୍ତି ତ୍ରିପାଠୀ ଗିରଫ

କେନ୍ୟୁଜ୍(ବ୍ୟୁରୋ):ଭୁବନେଶ୍ୱର କୋରଡ଼କଣ୍ଟା କୃପା ଫାଉଣ୍ଡେସନ ନିଶାମୁକ୍ତି କେନ୍ଦ୍ରରେ ତ୍ରିନାଥ ସେଠୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୀର୍ତ୍ତି ତ୍ରିପାଠୀ ଗିରଫ । ପ୍ରାୟ ଦେଢ଼ ମାସ ନିଖୋଜ ରହିବା ପରେ କୀର୍ତ୍ତିକୁ ପୁରୀ ଜିଲ୍ଲା ବଳଙ୍ଗାରୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ୍‌ । କୀର୍ତ୍ତି ସଂପୃକ୍ତ ନିଶା ମୁକ୍ତି କେନ୍ଦ୍ରର ମୁଖ୍ୟ ଥିଲା । ଆଉ ୨ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ୟୁନିଟ-୧ ମାର୍କେଟ କସ୍ତୁରବା ମହଲ ନିକଟରେ ରହୁଥିବା ବାବାଜୀ ସେଠୀ ତାଙ୍କ ପୁଅ ତ୍ରିନାଥଙ୍କ ନିଶା ଅଭ୍ୟାସ ଛଡ଼ାଇବା ପାଇଁ କୋରାଡ଼କଣ୍ଟାରେ ନିଶା ମୁକ୍ତି କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାର କିଛିଦିନ ପରେ ବାବାଜୀଙ୍କୁ ନିଶା ମୁକ୍ତି କେନ୍ଦ୍ରର ମାଲିକ କୀର୍ତ୍ତି ତ୍ରିପାଠୀ ଟଙ୍କା ମାଗିବା ସହ ତ୍ରିନାଥଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ ।

ଗତ ଅଗଷ୍ଟ ୫ ବିଳମ୍ବିତ ରାତିରେ ବାବଜୀଙ୍କ ନିକଟକୁ ଏକ ଅଜଣା ଫୋନ କଲ ଆସିଥିଲା । ପୁଅ ଛାତ ଉପରୁ ଖସି ପଡ଼ିବାରୁ ଗୁରୁତର ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଫୋନ କରିଥିବା ବ୍ୟକ୍ତି କହିଥିଲେ । ହେଲେ ହସପିଟାଲରେ ବାବାଜୀ ପହଞ୍ଚିବା ବେଳକୁ ତ୍ରିନାଥଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବାବାଜୀ ସହିଦନଗର ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ହେଲେ ପୁଅକୁ ପିଟି ପିଟି ମାରି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରି ଧାରଣା ଦେଇଥିଲେ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଗଷ୍ଟ ୨୨ରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.