ଗଞ୍ଜାମ ପିତ୍ତଳ ଛକରେ ୪ ଜଣଙ୍କୁ ହତ୍ୟା ଘଟଣା: ୫ ଅଭିଯୁକ୍ତ ଗିରଫ, ଜଣେ ଫେରାର

ବ୍ରହ୍ମପୁର(କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ପିତ୍ତଳ ଛକରେ ୪ ଜଣଙ୍କୁ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ, ଜଣେ ଫେରାର। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ। ଲୁହା ଛଡ, ଦୁଇଟି ସ୍କୁଟି ଓ କାଠ ମୁଣ୍ଡା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଆସିକା ଏସ୍‌ଡିପିଓ, ଶେରଗଡ ଥାନା ଅଧିକାରୀ ଉପସ୍ଥିତ ଥିଲେ।

୪ ମୃତକଙ୍କ ମଧ୍ୟରେ ୩ ଜଣ ଭାଇ ଓ ଜଣେ ପୁତୁରା। ମୃତକମାନେ ହେଲେ ନରେନ୍ଦ୍ରପୁର ପଞ୍ଚାୟତର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ଶମ୍ଭୁ ସ୍ୱାଇଁ, ପାଣ୍ଡୁରା ସ୍ୱାଇଁ ଓ ରାଜା ସ୍ୱାଇଁ।  କମେଣ୍ଟମରାରୁ ଗୋଷ୍ଠୀ ସଂଘର୍ଷ, ସାମାନ୍ୟ ଘଟଣାରୁ ୪ଜଣଙ୍କୁ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପିତ୍ତଳ ଛକରେ ବୀଭତ୍ସ ହତ୍ୟା କରାଯାଇଥିଲା।

ଘଟଣା ଦିନ ପିତଳ ଛକରେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହେବା ପରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ରାମଚନ୍ଦ୍ରପୁରର ଜଣେ ଯୁବକ ସେମାନଙ୍କୁ ସହାୟତା କରିଥିଲେ। ଏହାକୁ ନେଇ ସେଠାରେ ଫାଷ୍ଟଫୁଡ ଦୋକାନ କରିଥିବା ୪ଭାଇ ସେମାନଙ୍କୁ କମେଣ୍ଟ ମାରିଥିଲେ।

ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ରାତି ପ୍ରାୟ ସାଢେ ୧୧ଟା ବେଳେ ଦୋକାନ ବନ୍ଦ କରୁଥିବା ବେଳେ ଅପରପକ୍ଷ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.