ଭାଇର ପ୍ରେମ ବିବାହ, ଭଉଣୀକୁ ପଡ଼ିଲା ମହଙ୍ଗା: ରାତିରେ ଘରୁ ଟାଣିଆଣି ଜୀବନରୁ ମାରିଦେଲେ

ରେଢ଼ାଖୋଲ(କେନ୍ଯୁଜ୍) : ଭାଇର ପ୍ରେମ ବିବାହ, ଭଉଣୀକୁ ପଡ଼ିଲା ମହଙ୍ଗା ।  ହତ୍ୟା କରି ମାରିଦେଲେ ଭଉଣୀକୁ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ଗାଁରେ।
ମୃତ ମହିଳାଙ୍କ ନାଁ ବନିତା ମିର୍ଦ୍ଧା। ଯିଏକି ଜଣେ ବିଧବା ମହିଳା। ତାଙ୍କର ଗୋଟିଏ ନାବାଳକ ପୁଅ।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ବନିତାଙ୍କ ଭାଇ ଗାଁର ହରି ମିର୍ଦ୍ଧାଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ବନିତାଙ୍କ ଭାଇଙ୍କ ଘର କିଶୋର ନଗର ଅଞ୍ଚଳରେ। ତେବେ ବନିତାଙ୍କ ଘରକୁ ଯିବାଆସିବା ବେଳେ ପଡ଼ୋଶୀ ହରି ମିର୍ଦ୍ଧାଙ୍କ ଝିଅ ସହିତ ତାଙ୍କର ପ୍ରେମ ହୋଇଯାଇଥିଲା। ପରେ ସେମାନେ ବିବାହ କରିଥିଲେ। ତେବେ ଏହି ବିବାହରେ ହରି ଖୁସି ନଥିଲେ। ଏଥିପାଇଁ ସେ ସବୁବେଳେ ବନିତାଙ୍କୁ ଦାୟୀ କରୁଥିଲେ। ବନିତା ହିଁ ତାଙ୍କ ଭାଇଙ୍କୁ ଶିଖାଇ ଏସବୁ କରିଥିଲେ ବୋଲି ସେ ଅଭିଯୋଗ କରୁଥିଲେ। ଏଥିପାଇଁ ହରି ଓ ବନିତାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା।

ଗତକାଲି ସକାଳେ ଏହି କଥାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଆଉ ରାତିରେ ହରି, ତାଙ୍କର ନାବାଳକ ପୁଅ ଓ ସେମାନଙ୍କର ଆଉ ଦୁଇ ନାବାଳକ ସହଯୋଗୀ ମିଶି ବନିତାଙ୍କ ଘରକୁ ଯାଇଥିଲେ। ସେମାନେ ଘରୁ ବନିତାଙ୍କୁ ଅଗଣାକୁ ଟାଣି ଆଣିଥିଲେ ଓ ପନିକି ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ବନିତାଙ୍କ ମୃତ୍ୟୁ ଘଟିଥିଲା।

ପୋଲିସ୍ ଏହି ଘଟଣାରେ ଅଭିଯୁକ୍ତ ହରିଙ୍କ ସମେତ ତାଙ୍କର ନାବାଳକ ପୁଅ ଓ ଅନ୍ୟ ଦୁଇ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ବୋଲି ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ ମେହେର କହିଛନ୍ତି । ତଦନ୍ତ ସରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.