ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ଭୁବନେଶ୍ୱର : ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ହତ୍ୟା ଘଟଣାରେ ୩ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏପଟେ ସାଜିଦଙ୍କ ମାଳି ସାହି ଘର, ଦଧିବାମନ ସାହି, ପୋଡ଼ା ସାହି ଆଦି ସମ୍ବେଦନଶୀଳ ଅଞ୍ଚଳରେ ରହିଛି ୧୩ଟି ପୋଲିସ ଅସ୍ଥାୟୀ କ୍ୟାମ୍ପ । ୧୫ପ୍ଲାଟୁନ ରାଜ୍ୟ ପୋଲିସ ଓ IRB ବାଟାଲିୟାନ ନିୟୋଜିତ ହୋଇଛନ୍ତି ।
ମୁକୁନ୍ଦପ୍ରସାଦରେ ମୌଜାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା୧୬୩ ଲଗାଯାଇଛି । ମୁକୁନ୍ଦପ୍ରସାଦର ୨, ୨୧ ଓ ୨୨ ନଂ ୱାର୍ଡରେ ଏବଂ ୧ ଓ ୩ ନଂ ୱାର୍ଡର କିଛି ଅଞ୍ଚଳରେ ୧୬୩ BNSS ଲଗାଯାଇଛି। କୌଣସି ସ୍ଥାନରେ ୫ କିମ୍ବା ଊର୍ଦ୍ଧ୍ବ ଲୋକ ବିନା ଅନୁମତିରେ ଏକାଠି ଠୁଳ ହେବାକୁ ବାରଣ କରାଯାଇଛି । କଟକଣା ଲାଗୁ ଅଞ୍ଚଳରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି ।
ଏହି ସମୟରେ କୌଣସି ଧାର୍ମିକ ପୂଜା ପାଠ, ସମ୍ମିଳନୀ, ମାଇକ ଯୋଗେ ସଙ୍କୀର୍ତ୍ତନ ଆଦି ଉପରେ କଟକଣା ରହିଛି। ଜନ୍ମାଷ୍ଟମୀ ସହ ନିୟମିତ ଯାତାୟାତ ଉପରେ ମଧ୍ୟ ରହିଛି ପ୍ରତିବନ୍ଧକ । ପରିଚୟ ପତ୍ର ଦେଖାଇ ସେହି ଅଞ୍ଚଳ ଦେଇ ଯିବା ଆସିବା କରିପାରିବେ । ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡି କରାଯାଇଛି । ମୃତ ସାଜିଦଙ୍କ ପରିବାର ସହ ପୋଲିସ ଯୋଗାଯୋଗରେ ଅଛି । ବରିଷ୍ଠ ପୋଲିସ ଅଧିକାରୀ ତାଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହ ସବୁ ପ୍ରକାର ସହାୟତା ପାଇଁ ହାତ ବଢାଇଛନ୍ତି ।