ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ !

ଅନୁଗୁଳ : ହତ୍ୟା ପରେ ମାଟି ତଳେ ପୋତିଦେଲା ଅଭିଯୁକ୍ତ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ପୁତୁକାମହୁଲ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ଜଣକ ନିରାଶ ପୂର୍ତ୍ତି ବୋଲି ଜଣାପଡ଼ିଛି । ନିରାଶ ଗୁଣି କରୁଥିବାରୁ ପରିବାରରେ ଅସୁସ୍ଥତା ଲାଗି ରହୁଥିବା ବୋଳି ତାଙ୍କ ପଡ଼ୋଶୀ ଗୁଲା ସନ୍ଦେହ କରୁଥିଲା। ଏହି ସନ୍ଦେହରେ ଗତକାଲି ନିରାଶ ଜମିକୁ ଯାଇଥିବାବେଳେ ଗୁଲା ତାଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ହତ୍ୟା ପରେ ଅଭିଯୁକ୍ତ ଗୁଲା ସାଇଁଆ ଥାନାରେ ଆତ୍ମସମର୍ପଣ କରିଛି। ହତ୍ୟାକାରୀର ବୟାନକୁ ଆଧାର କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ମୃତଦେହକୁ ଉଦ୍ଧାର କରିଥିଲା। ପରେ ବ୍ୟବଛେଦ ପାଇଁ ସ୍ଥାନୀୟ ଡ଼ାକ୍ତରଖାନାକୁ ପଠାଯାଇଛି। ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।