ରାଉରକେଲାରେ ଚାଞ୍ଚଲ୍ୟ, ପୁଅ ହତ୍ୟା ମାମଲା ପ୍ରତ୍ୟାହାର ପାଇଁ ବାପାକୁ ଧମକ ଦେଲେ ହତ୍ୟାକାରୀ

ରାଉରକେଲା: କେସ୍ ଫେରେଇନେ । ନହେଲେ ପୁଅ ଭଳି ତୁ ବି ଜୀବନରୁ ଯିବୁ । ପ୍ରଥମେ ପୁଅର ଜୀବନ ନେଲେ ଆଉ ଜେଲ୍ ବି ଗଲେ । ହେଲେ ସେତିକିରେ ମନ ବୁଝିଲାନି ଏ ହତ୍ୟାକାରୀଙ୍କର । ଜେଲରୁ ଫେରିବା ପରେ ପୁଅ ହତ୍ୟା ମାମଲା ପ୍ରତ୍ୟାହାର ପାଇଁ ବାପାକୁ ଦେଲେ ଧମକ । ମୁଣ୍ଡରେ ବନ୍ଧୁକ ଲଗାଇ ମୃତକଙ୍କ ବାପାଙ୍କୁ ଏଭଳି କିଛି ଧମକ ଦେଇଛନ୍ତି ଦୁର୍ବୃତ୍ତ । ରାଉରକେଲା ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାଉରକେଲା ସହରର ଛେଣ୍ଡ ଭିଏସଏସ ମାର୍କେଟରେ ଗତ ଅପ୍ରେଲ ୯ ତାରିଖରେ ମୁକେଶ କର ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା ।

ଯାହାପରେ ଏବେ ସେହି ହତ୍ୟା ମାମଲାର ଅଭିଯୁକ୍ତମାନେ ଜାମିନ୍ ରେ ଆସିଛନ୍ତି । ଜାମିନ୍ ରେ ଆସିବା ପରେ ହତ୍ୟାକାରୀମାନେ ରଚିଛନ୍ତି ଆଉ ଏକ କାଣ୍ଡ । ହତ୍ୟା ମାମଲାର ପ୍ରତ୍ୟାହାର ପାଇଁ ଯୁବକଙ୍କ ବାପା ସୁଧୀର କୁମାର କରଙ୍କୁ ଧମକ ଦେଇଛନ୍ତି ଦୁର୍ବୃତ୍ତ । ମୁଣ୍ଡରେ ବନ୍ଧୁକ ଲଗାଇ ମାମଲା ପ୍ରତ୍ୟାହାର କରିବା ପାଇଁ ଦେଲେ ଧମକ । ନଚେତ ପୁଅ ଭଳିଆ ତୁ ବି ମରିବୁ । ଯାହାପରେ ଭୟଭୀତ ଅବସ୍ଥାରେ ମୃତ ମୁକେଶଙ୍କ ବାପା ମା ରଘୁନାଥ ପାଲି ପୋଲିସ୍ ର ଦ୍ବାରସ୍ଥ ହୋଇଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ଅପ୍ରେଲ ୯ ତାରିଖରେ ହୋଇଥିବା ଏହି ହତ୍ୟାକାଣ୍ଡ ମାମଲାରେ ପ୍ରାୟ ୧୧ ଜଣ ଅଭିଯୁକ୍ତଙ୍କୁ ଛେଣ୍ଡ ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥିମଧ୍ୟରୁ ବର୍ତ୍ତମାନ କେତେକ ଅଭିଯୁକ୍ତ ଜାମିନରେ ଆସିବା ପରେ ଏହିଭଳି ଘଟଣା ଘଟିଛି । ମୁକେଶକୁ ହତ୍ୟା କରିଥିବା ଦୁର୍ବୃତ୍ତ ମାନେ ହତ୍ୟା ମାମଲାର ପ୍ରତ୍ୟାହାର କର ନଚେତ ତୁମ ପୁଅକୁ ଯେଉଁଭଳି ହତ୍ୟା କରିଥିଲୁ ତୁମକୁ ମଧ୍ୟ ସେହିଭଳି ହତ୍ୟା କରିବୁ ବୋଲି ଧମକ ଦେଇଛନ୍ତି । ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନେ ପୂର୍ବରୁ କୌଣସି ହତ୍ୟା ମାମଲାରେ ସାମିଲ ନଥିଲେ ।

ଗତକାଲି ସନ୍ଧ୍ୟାରେ ମୃତ ମୁକେଶଙ୍କ ବାପା ସୁଧୀର ଡ୍ୟୁଟିରୁ ଘରକୁ ଫେରୁଥିବା ବେଳେ ୩ ଜଣ ଯୁବକ ତିନୋଟି ବନ୍ଧୁକ ଛାତିରେ ଓ ମୁଣ୍ଡରେ ଲଗାଇ ମୁକେଶର ହତ୍ୟାକୁ ନେଇ ତାଙ୍କ ଉପରେ ଚାଲିଥିବା ମୋକଦ୍ଦମା ପ୍ରତ୍ୟାହାର କରିନେବା ପାଇଁ ଧମକ ଦେଇଥିଲେ । ଏପଟେ ପୁଅ ହତ୍ୟାର ଦୁଃଖ ମନରୁ ନ ଯାଉଣୁ ପୁନର୍ବାର ଦୁର୍ବୃତ୍ତଙ୍କ ଧମକ ପରିବାରକୁ ପୁରା ବିଚଳିତ କରିଦେଇଛି । ତେଣୁ ଭୟ ଓ ଆଶଙ୍କାରେ ମୃତକଙ୍କ ବାପା ମା ଉଭୟ ରଘୁନାଥ ପାଲି ଥାନାରେ ପହଞ୍ଚି ଧମକ ଦେଇଥିବା ଦୁର୍ବୃତ୍ତଙ୍କ ନାମରେ ଅଭିଯୋଗ କରି ନିଜର ସୁରକ୍ଷା ସହ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ।

Also read: ଯୌତୁକ ପାଇଁ ମହିଳାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ମୃତକଙ୍କ ସ୍ବାମୀ ଅଟକ