ଓଡିଶାର ମୁଖ୍ୟମନ୍ତ୍ରୀ ହେବା ମୋର ଲକ୍ଷ୍ୟ ନୁହେଁ : ଭକ୍ତ ଦାସ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ମଙ୍ଗ ଧରିବେ ଭକ୍ତ ଚରଣ ଦାସ ।  ଯୁବ ଚେହେରାଙ୍କୁ ଛାଡି ଜଣେ ଭେଟେରାନ ଅଭିଜ୍ଞ ନେତାଙ୍କୁ କଂଗ୍ରେସ ହାଇକମାଣ୍ଡ ଦାୟିତ୍ୱ ଦେଇଛନ୍ତି ।  ପିସିସି ସଭାପତି ହେବା ପରେ ଭକ୍ତ କହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ହେବା ମୋର ଲକ୍ଷ୍ୟ ନୁହେଁ ।  କଂଗ୍ରେସ ଦଳକୁ ମଜଭୁତ କରିବା ଓ ଓଡିଶା ଲୋକଙ୍କର ମନ ଜିଣିବା ମୋର ଉଦେଶ୍ୟ । ଦଳ ଭିତରେ ସମସ୍ତେ ଏକଜୁଟ ଅଛନ୍ତି ଓ ରହିବେ ବୋଲି ମୋର ଦୃଢ଼ ବିଶ୍ୱାସ । ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବୁ। ୨୦୨୯ରେ କଂଗ୍ରେସ ଓଡିଶାରେ କ୍ଷମତାକୁ ଆଣିବାକୁ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି ଭକ୍ତ ଦାସ ।

ରାଜ୍ୟ କଂଗ୍ରେସର ମଙ୍ଗୁଆଳ ହେଲେ ଭକ୍ତ ଚରଣ ଦାସ ।  ରେସରେ ସପ୍ତଗିରି ଉଲ୍ଲାକା ଓ ମହମ୍ମଦ ମୋକିମଙ୍କ ଭଳି ନେତା ଥିଲେ।  ଯୁବ ଚେହେରାଙ୍କୁ ଛାଡ଼ି ଜଣେ ଭେଟେରାନ ଅଭିଜ୍ଞ ନେତାଙ୍କୁ କଂଗ୍ରେସ ହାଇକମାଣ୍ଡ ଦାୟିତ୍ୱ ଦେଇଛନ୍ତି ।  ଭକ୍ତଙ୍କ ଚୟନ ପଛରେ ପ୍ରମୁଖ କାରଣ ମଧ୍ୟରେ ରହିଛି ସେ ଅନୁସୂଚିତ ଜାତିର ଚେହେରା ଓ ତାଙ୍କର ରାଜନୀତିରେ ବହୁ ବର୍ଷର ଅଭିଜ୍ଞତା ରହିଛି ।  ଏହାସହ ଭକ୍ତଙ୍କୁ ପିସିସି ମୁଖିଆ ଦାୟିତ୍ୱ ଦେଇ କଂଗ୍ରେସ ପଶ୍ଚିମରେ ଦଳର ଉତଥାନ ସମ୍ଭାବନା ଦେଖୁଛି ।  ଭକ୍ତ ସମସ୍ତଙ୍କୁ ସାଥୀରେ ନେଇ ଚାଲି ପାରିବେ ଏବଂ କେନ୍ଦ୍ରୀୟ ନେତୃତ୍ୱ ସହ ସମନ୍ୱୟ ରଖି ପାରିବେ ।

ଭକ୍ତଙ୍କୁ ପିସିସି ସଭାପତି କରିବାରେ ଆଉ ଏକ ପ୍ରମୁଖ କାରଣ, ତାଙ୍କର ରାଜନୀତିରେ ୪ ଦଶନ୍ଧିର ଅଭିଜ୍ଞତା ରହିଛି ।  ସେ ଥରେ ବିଧାୟକ ଓ ତିନି ଥରର ସାଂସଦ ଥିଲେ ।  କେନ୍ଦ୍ରରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୮୫ରେ ଭବାନୀପାଟଣାରୁ ବିଧାୟକ, ୧୯୮୯, ୧୯୯୬ ଓ ୨୦୦୯ରେ କଳାହାଣ୍ଡିରୁ ସାଂସଦ ହୋଇଥିଲେ। ବିଭିନ୍ନ ରାଜ୍ୟରେ ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ୨୦୨୧ରେ ବିହାରର AICC ଇନଚାର୍ଜ ଥିଲେ। ମଣିପୁର ଓ ମିଜୋରାମର ପ୍ରଭାରୀ ଦାୟିତ୍ୱରେ ରହିବା ସହ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଦଳ ପାଇଁ ଗୁରୁ ଦାୟିତ୍ୱ ତୁଲାଇଛନ୍ତି ଭକ୍ତ ଚରଣ ଦାସ। ଏଥିର ବିଧାନସଭା ନିର୍ବାଚନରେ ଭକ୍ତ ହାରି ଯାଇଥିଲେ ବି ତାଙ୍କ ପୁଅ ସାଗର ଦାସ ଭବାନୀପାଟଣାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

Also read: ଦିଲ୍ଲୀ ନିର୍ବାଚନ: ତୃତୀୟ ଗ୍ୟାରେଣ୍ଟି ଘୋଷଣା କଲା କଂଗ୍ରେସ, ବେକାର ଶିକ୍ଷିତ ଯୁବକ, ଯୁବତୀଙ୍କୁ ମିଳିବ ୮,୫୦୦ ଟଙ୍କା