ଦୃଷ୍ଟି ଆଢ଼ୁଆଳେ ରହିଛି ରହସ୍ୟମୟ ମା’ଙ୍କ ପୀଠ, ଲୋକଲୋଚନକୁ ଆଣିବା ପାଇଁ ଗ୍ରାମବାସୀଙ୍କ ଦାବି

ଲମତାପୁଟ: ଆଜି ବି ଅନେକ ଗାଁରେ ଲୁଚି ରହିଛି ବିଭିନ୍ନ ରହସ୍ୟ । ଗ୍ରାମାଞ୍ଚଳରେ ରହିଥିବା ମା’ଙ୍କ ପୀଠ ସ୍ଥଳୀରେ ଥିବା ରହସ୍ୟ ଆଜି ବି ଲୋକଲୋଚନକୁ ଆସି ପାରୁନାହିଁ । ଆସନ୍ତୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତର ଦୁଇଟି ଗାଁ କାପୁଗୁଡା ଓ ସୁକ୍ରୀଗୁଡାରେ ଥିବା ଏହି ପୀଠ ସ୍ଥଳୀ ବିଷୟରେ ଜାଣିବା, ଯେଉଁଠାରେ ରହିଛି ଅନେକ ରହସ୍ୟ ।
କାପୁଗୁଡା ଗାଁରେ ଥିବା ମା’ କୁଟୁନି ଚୁଆଙ୍କ ପୀଠ । ଏଠାରେ ଥିବା ମା’ ଖୁବ୍ ପ୍ରତ୍ୟକ୍ଷ ଓ ପ୍ରସିଦ୍ଧ । ରାଜ୍ୟ ମୁଖ୍ୟ ସଡକ ପଥରୁ ମାତ୍ର ୫୦ ମିଟର ଦୂରରେ ଅବସ୍ଥିତ ଏହି ପୀଠ । ଏଠାକୁ ଆସିଥିବା ଭକ୍ତ ଯଦି ମା’ ବୋଲି ଡାକନ୍ତି ତ ମା’ ନିଶ୍ଚିତ ଭାବେ ଭକ୍ତର ଡାକ ଶୁଣନ୍ତି । ତିନି ଚାରିଟି ବ୍ଲକର ପୂଜକମାନେ ମା’ଙ୍କୁ ପୂଜାର୍ଚ୍ଚନା କରନ୍ତି । ଏହି ଦେବୀଙ୍କ ପଥର ମୂର୍ତ୍ତିକୁ କିଛି ଲୋକେ ନେବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇ ନଥିବା ଗାଁ ଲୋକେ କୁହନ୍ତି । ଆଉ ଏଠାରେ ରହିଛି ଆଉ ଦୁଇଟି ରହସ୍ୟ ।
ପ୍ରଥମ ରହସ୍ୟ ହେଉଛି ମା’ଙ୍କ ପାଦ ତଳେ ରହିଛି ଏକ ପାଣି କୁଣ୍ଡ ଯାହାର ନା କୁଟୁନି ଚୁଆ । ଅଞ୍ଚଳର ଲୋକେ କହିବା ଅନୁସାରେ ଆଜି ପର୍ଯ୍ୟନ୍ତ ମା’ଙ୍କ ମହିମା ଯୋଗୁ ସେହି ଚୁଆରୁ ପାଣି କେବେ ଶୁଖି ନାହିଁ । ଯେତେ ଖରାହେଲେ ମଧ୍ୟ ଏଠାରେ ପାଣି ଶୁଖିଥିବା କେହି ଦେଖି ନାହାନ୍ତି । ଅନ୍ୟ ରହସ୍ୟଟି ହେଉଛି ମା’ଙ୍କ ଆସ୍ଥାନରୁ ଏକ ଗୁମ୍ଫା ରହିଛି ଯେଉଁ ଗୁମ୍ଫା ଦେଇ ଗୁପ୍ତେଶ୍ୱର ମନ୍ଦିରକୁ ଯାଇ ହେବ ବୋଲି ଗାଁ ଲୋକେ କୁହନ୍ତି । କିନ୍ତୁ କାଳ କ୍ରମେ ଏହି ଗୁମ୍ଫାର ଦ୍ଵାରଟି ବନ୍ଦ ହୋଇ ଯାଇଛି ।
ଶୁକ୍ରୀଗୁଡା ଗାଁ ନିକଟରେ ଅବସ୍ଥିତ ରହିଛି ଆଉ ଏକ ମନ୍ଦିର । ଏହି ପୀଠ ଡକ୍ରି ଅପା ନାରେ ପରିଚିତ । ଏହି ପୀଠଟି ଗାଁରୁ ୨୦୦ ମିଟର ଦୂରରେ ଅବସ୍ଥିତ । ଜଙ୍ଗଲ ମଧ୍ୟରେ ରହିଛି ମା’ଙ୍କ ଏହି ପୀଠ । ଏହି ପୀଠରେ ମଧ୍ୟ ରହିଛି ଅନେକ ରହସ୍ୟ । ଗାଁ ଲୋକେ ଓ ପୀଠର ପୂଜକଙ୍କ କହିବା ଅନୁସାରେ ଏଠାରେ ମଧ୍ୟ ଗୁମ୍ଫା ସହିତ ସୁଡ଼ଙ୍ଗ ରହିଛି । ଏହି ସୁଡ଼ଙ୍ଗରେ ମଧ୍ୟ ଗୁପ୍ତେଶ୍ୱରକୁ ଯିବା ପାଇଁ ରାସ୍ତା ସହିତ କୁଟୁଣି ଚୁଆକୁ ବି ଯିବା ପାଇଁ ରାସ୍ତା ରହିଛି । ଦିନରେ ଏହି ସୁଡ଼ଙ୍ଗ ଦେଇ ଜୀବ ଜନ୍ତୁ ଯାଆସ କରନ୍ତି କିନ୍ତୁ ମଣିଷକୁ କିଛି କ୍ଷତି ପହଞ୍ଚାନ୍ତି ନାହିଁ । ଲୋକଙ୍କ କହିବା ଅନୁସାରେ ଏହି ଗୁମ୍ଫା ଭିତରେ ଆଜି ବି ବ୍ରାହ୍ମଣୀ ଦେଇ ନାମକ ଜଣେ ମହିଳା ଅଛନ୍ତି ଓ ଭିତରେ ଏକ ମନ୍ଦିର ରହିଛି । ଆଉ ମନ୍ଦିର ଭିତରେ ଜଣେ ଋଷି ରହିଥିବା ପୂଜକଙ୍କୁ ସ୍ବପ୍ନାଦେଶ ହୁଏ । ଏଭଳି ବିଭିନ୍ନ ଦେବୀମାନଙ୍କ ପୀଠ ରହିଛି ଏହି ସ୍ଥାନରେ । ଯାହା ଆଜି ବି ରହସ୍ୟମୟ ହୋଇ ରହିଛି ।
ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ରାଜ୍ୟରେ ମନ୍ଦିରମାନଙ୍କ ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିବା ବେଳେ ଗ୍ରାମାଞ୍ଚଳମାନଙ୍କରେ ଥିବା ଏହି ପୀଠ ଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଛି । ଏହି ପୀଠକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ ଭକ୍ତମାନଙ୍କ ବିଶ୍ରାମ କରିବା ପାଇଁ ବିଶ୍ରାମ ଗୃହ ଟିଏ ନାହିଁ କି କୌଣସି ସୁବିଧା ନାହିଁ । ଏନେଇ ଆମେ ଲମତାପୁଟ ଅତିରିକ୍ତ ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି କି ଯଦି ପଞ୍ଚାୟତ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ପାଇଁ ତାଲିକା ପ୍ରସ୍ତୁତ କରି ଆମକୁ ଦେବେ ତ ଆମେ ଆମ ପକ୍ଷରୁ କିଛି କାର୍ଯ୍ୟ କରିବୁ । ଏବେ ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ସହିତ ବ୍ଲକ ପ୍ରଶାସନ କେତେ ତତ୍ପର ହୋଇ ସମସ୍ୟାର ସମାଧାନ କରିବ ।