କେନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ଅକାଳ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା। ପରିବାର, ପରିଜନ, ସାଙ୍ଗସାଥୀ ସଭିଏଁ ସ୍ତବ୍ଧ। କେହି ଯେମିତି ମୃତ୍ୟୁ ଭଳି ଏକ ଅପ୍ରିୟ ସତକୁ ମାନିବାକୁ ନାରାଜ। ଯାହା ଆଖିରେ ଦେଖିବ ଅଶ୍ରୁଧାର। କିଏ ଜାଣିଥିଲା କର୍ମକ୍ଷେତ୍ରରେ ନିଜ ଜନ୍ମମାଟିରେ ଏମିତି ଆତତାୟୀର ଗୁଳିରେ ଟଳିପଡିବେ ବୋଲି। ଏପଟେ ନିଜ ଶଙ୍ଖା ସିନ୍ଦୁରକୁ ଚିରଦିନ ପାଇଁ ହରାଇ ଧର୍ମପତ୍ନୀ ମ୍ରିୟମାଣ। ନିଜ କୋହ ସମ୍ଭାଳି ପାରୁନାହାନ୍ତି। କୁଆଡେ ତାଙ୍କୁ ଛାଡି ଚାଲିଯାଉଛ ବୋଲି ସ୍ବାମୀଙ୍କ ମର ଶରୀରକୁ ଚାହିଁ ବାରମ୍ବାର ପ୍ରଶ୍ନ କରୁଛନ୍ତି।
ପିଲାଛୁଆ ସଂସାରକୁ ଏକା କରି ଏମିତି ଅଫେରା ରାଇଜକୁ କାହିଁକି ତାଙ୍କୁ ଏମିତି ଏକା ଛାଡି ଚାଲିଗଲ ବୋଲି ସ୍ବାମୀଙ୍କ ଉପରେ ଅଭିମାନ ଜତଉଛନ୍ତି। ହେଲେ ସେ ଜାଣିସାରିଛନ୍ତି ତାଙ୍କ ଲୁହକୁ ପୋଛିବାକୁ, ତାଙ୍କ ଅଭିମାନକୁ ବୁଝାଇବାକୁ ଆଉ କେବେ ବି ଫେରିବେନି ନବ। ଏପଟେ ବାପାଙ୍କୁ ହରାଇ ଭାଙ୍ଗପଡୁଛନ୍ତି ପୁଅ । ମାକୁ ଦମ୍ଭ ଧରିବାକୁ କହୁଛନ୍ତି, ହେଲେ ନିଜେ କିନ୍ତୁ ଏପଟେ ଏକୁଟିଆ ଠିଆ ହୋଇ ବାପାଙ୍କୁ ଝୁରି ଝୁରି ନିଜ କୋହକୁ ସମ୍ଭାଳି ପାରୁନାହାନ୍ତି। ଆଖିର ଲୁହକୁ ଯେତେ ଅଟକାଇବାକୁ ଚେଷ୍ଟା କଲେ ବି ତାଙ୍କ ବୋଲମାନୁନି ଲୁହ। କାହା ପାଖରେ ସେ ଅଳି କରିବେ, କାହାକୁ ବାପା ବୋଲି ଡାକିବେ। ଏଇ ସବୁ ପ୍ରଶ୍ନ ଯେମିତି ତାଙ୍କ ମନକୁ ବାରମ୍ବାର ଗୁଞ୍ଜରିତ କରୁଛି।
ତେବେ ଦର୍ଶକବନ୍ଧୁ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ହେବ ଅନ୍ତିମ ସଂସ୍କାର। ଜନ୍ମମାଟି ଝାରସୁଗୁଡ଼ାରେ ନବ ଦାସଙ୍କ ଅନ୍ତିମ ସଂସ୍କାର ହେବ। ସ୍ୱତନ୍ତ୍ର ବିମାନ ଯୋଗେ କର୍ମଭୂର୍ମିକୁ ଯାଇସାରିଲାଣି ମନ୍ତ୍ରୀଙ୍କ ପାର୍ଥିବ ଶରୀର । ମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ । ରବିବାର ପୂର୍ବାହ୍ନରେ ବ୍ରଜରାଜନଗରରେ ଗୁଳିମାଡ଼ର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ଘଟିଥିଲା ।
ଏପଟେ ଏହାରି ମଧ୍ୟରେ ଆଜି ନବ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ନବ ଦାସଙ୍କ ପାର୍ଥିକ ଶରୀରକୁ ପୁଷ୍ପଗୁଚ୍ଛା ଦେଇ ମୁଖ୍ୟମନ୍ତ୍ରୀ ଶେଷଦର୍ଶନ କରିଥିଲେ। ତେବେ ଶେଷ ଦର୍ଶନ କରି ଭାବବିହ୍ୱଳ ହେବା ସହ ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି ନବୀନ । ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷ ଦର୍ଶନ କରିଥିଲେ ରାଜ୍ୟପାଳ ଗଣେଶୀ ଲାଲ । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ପହଞ୍ଚି ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ରାଜ୍ୟପାଳ ।
ତେବେ ବ୍ରଜରାଜନଗର ଗାନ୍ଧି ଛକରେ ଗୋପାଳ ଦାସ ନାମ ଜଣେ ପୋଲିସ ଏଏସଆଇ ଅଚାନକ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁଳିଟି ତାଙ୍କ ଛାତି ତଳେ ବାଜି ଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ । ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଆପୋଲୋ ବିଶେଷଜ୍ଞଙ୍କ ସହ କଟକ ବଡ଼ ଡାକ୍ତରଖାନା ଓ କ୍ୟାପିଟାଲ ହସ୍ପିଟାଲର ବିଶେଷଜ୍ଞମାନେ ତାଙ୍କ ଚିକିତ୍ସାରେ ନିୟୋଜିତ ରହିଥିଲେ । ଏପରିକି ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତେ୍ୱ ସେ ମୃତ୍ୟୁବରଣ କରିଥିଲେ ।