ନବ ଦାସଙ୍କ ହତ୍ୟାର ୮ ଦିନ ପରେ ବି ଜଣାପଡ଼ିନି ହତ୍ୟାର କାରଣ,ସାଇକୋଲୋଜିକାଲ ଆସେସମେଣ୍ଟ କରୁଛି CFSL ଟିମ୍‌

ଝାରସୁଗୁଡା(କେନ୍ୟୁଜ) : ନବ ଦାସଙ୍କ ହତ୍ୟାକୁ ୮ ଦିନ ବିତିଥିଲେ ବି ଏଯାଏ ଜଣାପଡ଼ିନି ହତ୍ୟାର କାରଣ । ଗୋପାଳ ଦାସ କାହିଁକି ଗୁଳି କରି ମାରିଲା ରହସ୍ୟ ଏବେ ବି ରହସ୍ୟ ହୋଇ ରହିଛି । ମର୍ଡର ମୋଟିଭ୍‌ କ’ଣ ଜାଣିବା ପାଇଁ ରିମାଣ୍ଡରେ ନେଇ କିଲର୍‌ ଏଏସଆଇ ମୁହଁରୁ ସତ ଉଗାରୁଛି କ୍ରାଇମବ୍ରାଞ୍ଚ । ଗୋପାଳ ଲୁଚାଇଥିବା ସତ ବାହାର କରିବାକୁ ତନାଘନା ତଦନ୍ତ ଚାଲିଛି । ଗୋପାଳର ଲେୟର୍ଡ ଭଏସ୍‌ ଆନାଲିସିସ ଓ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସମେଣ୍ଟ କରୁଛି CFSL ଟିମ୍‌ ।

ଆଜି ତାର LVA ଓ ସାଇକୋଲୋଜିକାଲ ଆସେସମେଣ୍ଟ ସରିବ । CFSL ନିର୍ଦ୍ଦେଶକ ଆଶା ଶ୍ରୀବାସ୍ତବ ନିଜେ ଏହି ଦୁଇଟି ପରୀକ୍ଷା କରାଉଛନ୍ତି । ଗୋପାଳ କ୍ରାଇମବ୍ରାଞ୍ଚକୁ ଦେଉଥିବା ତଥ୍ୟ ଆଧାରରେ କରାଯାଉଛି LVA ଟେଷ୍ଟ । ତାର ବୟାନରେ କେତେ ସତ ଓ ମିଛ ରହିଛି ରିପୋର୍ଟ ଆସିଲେ ଜଣା ପଡିବ । ସେହିପରି ଝାରସୁଗୁଡ଼ାରେ ଗୋପାଳର ମନ ପଢୁଛନ୍ତି ମନସ୍ତତ୍ତ୍ୱବିତ୍‌ ।

ସ୍ୱତନ୍ତ୍ର ମେଡିକାଲ୍‌ ବୋର୍ଡ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିଥିବା ବେଳେ ମାନସିକ ସ୍ଥିତି ଯାଞ୍ଚ ପାଇଁ ଆସୁଛନ୍ତି ବେଙ୍ଗାଲୁରୁର ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ଆଣ୍ଡ ମେଣ୍ଟାଲ୍‌ ସାଇନସେସ୍‌ ବା ନିମହାନ୍ସ ବିଶେଷଜ୍ଞ । ଗୋପାଳର ପୂର୍ବ ପ୍ରେସକ୍ରିପସନର ଯାଞ୍ଚ କରୁଛନ୍ତି ବିଶେଷଜ୍ଞ । ବିଭିନ୍ନ ଟିମ୍‌ର ରିପୋର୍ଟକୁ ନିଜେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଅନୁଧ୍ୟାନ କରୁଛନ୍ତି ।

ତନ୍ନତନ୍ନ ଯାଞ୍ଚ କରାଯାଉଛି ଅସ୍ତ୍ର ଓ ଗୁଳିଗୋଳା ଇସ୍ୟୁ ହେଉଥିବା ରେଜିଷ୍ଟ୍ରାର । କ୍ରାଇମବ୍ରାଞ୍ଚର ଟିମ୍‌ ବିଭିନ୍ନ ସ୍ଥାନରେ ସଂଗ୍ରହ କରିଥିବା ତଥ୍ୟ ପ୍ରମାଣକୁ ଯୋଡ଼ାଯାଇ ହତ୍ୟାର କାରଣ ଖୋଜାଚାଲିଛି । ଗୋପାଳ ନିଜ ଦୋଷ ମାନିଥିଲେ ବି କାହିଁକି ନବ ଦାସଙ୍କୁ ହତ୍ୟା କଲା ଏଯାଏ କାରଣ କହିନି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ତଦନ୍ତକାରୀ ଟିମ୍‌କୁ ଭୂଆଁ ବୁଲାଉଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.