ନବ ଦାସଙ୍କୁ ଗୁଳିକରି ହତ୍ୟା ଘଟଣା: ଫୋରେନସିକ ଲାବ୍‌ ଗଲା ଜବତ ହୋଇଥିବା ପିସ୍ତଲ, ଗୁଳି

(କେନ୍ୟୁଜ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାକୁ ଦୁଇ ଦିନ ହେଲାଣି । କିନ୍ତୁ ଏଯାଏ ଜଣା ପଡ଼ିନି କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ କୃଷ୍ଣ ଦାସ ? ଗତକାଲି ଗୋପାଳ ଦାସଙ୍କୁ ଗିରଫ ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ। ଗୋପାଳ ଦାସଙ୍କୁ ଝାରୁସୁଗୁଡାର ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୋମବାର ରାତିରେ କଡା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ଅନ୍ୟପଟେ ଗୋପାଳ ଦାସଙ୍କ 9MM ପିସ୍ତଲ, ତିନି ରାଉଣ୍ଡ ଗୁଳି ଓ ମୋବାଇଲ୍‌ ଫୋନ୍‌କୁ ଷ୍ଟେଟ୍‌ ଫୋରେନସିକ୍‌ ଲାବକୁ ପଠାଯାଇଛି। ବାଲିଷ୍ଟିକ ତଦନ୍ତ ପାଇଁ ପଠାଯାଇଛି ପିସ୍ତଲ ଓ ଗୁଳି । ଗୋପାଳର ମୋବାଇଲ୍‌ ଫୋନ୍‌ ଯାଞ୍ଚ ଚାଲିଥିବା ବେଳେ କଲ୍‌ ଡିଟେଲ୍ସ ରେକର୍ଡର ଅନୁଧ୍ୟାନ ବି ଚାଲିଛି । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱାଧୀନ ଟିମ୍‌ ଭୁବନେଶ୍ୱରରୁ ନବ ଦାସଙ୍କ ଚିକିତ୍ସା ଦସ୍ତାବିଜ, ରକ୍ତ ଭିଜା ପୋଷାକ ଜବତ କରିଛି । ଭୁବନେଶ୍ୱର ସ୍ଥିତ ଷ୍ଟେଟ୍‌ ଫୋରେନସିକ ଲାବକୁ ପଠାଯାଇଛି ରକ୍ତ ଭିଜା ପୋଷାକ । ଗୋପାଳଙ୍କ ଭିସେରାକୁ ସଂରକ୍ଷିତ କରି ରଖାଯାଇଛି ।

ଏହାକୁ ନେଇ ଖୋଳତାଡ କରୁଛନ୍ତି ଦୁଇଟି ତଦନ୍ତକାରୀ ଟିମ୍‌ । କ୍ରାଇମବ୍ରାଞ୍ଚ ଡିଏସ୍‌ପି ରମେଶ ଦୋରା ଓ ଶିଶିର ମିଶ୍ରଙ୍କ ନେତୃତ୍ୱରେ ଟିମ୍‌ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି । ଗୋଟିଏ ଟିମ୍‌ ବ୍ରଜରାଜନଗରରେ ତଥ୍ୟ ପ୍ରମାଣ ହାସଲ କରୁଛି । ତଦନ୍ତରେ ସାମିଲ ଅଛନ୍ତି ଫୋରେନ୍‌ସିକ, ବାଲିଷ୍ଟିକ ଓ ସାଇବର ଏକ୍ସପର୍ଟ ଟିମ୍‌ । ନିଜେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ବ୍ରଜରାଜନଗରରେ କ୍ୟାମ୍ପ କରି ତଦନ୍ତର ତଦାରଖ କରୁଛନ୍ତି । ଏବେ ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.