ମା’ ସମଲେଇ ଓ ପାର୍ଶ୍ୱ ଦେବାଦେବୀଙ୍କୁ ଭୋଗ ଲାଗି ପରେ ନବାନ୍ନ ଖାଇଲେ ସହରବାସୀ

ସମ୍ବଲପୁର: ନୂଆଁଖାଇ ଗଣପର୍ବ କୃଷି ଓ କୃଷକର ଭାବନା ସହ ଜଡିତ ପର୍ଵ । ଚାଷୀ ତାର ପ୍ରଥମ ଅର୍ଣ୍ଣ କୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ଓ ଦେଶ ବାସୀ ଯେପରି ଭୋକରେ ନ ରୁହନ୍ତି ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ । ପରମ୍ପରା ଅନୁଯାୟୀ ଆଜି ସମ୍ବଲପୁର ଇଷ୍ଟଦେବୀ ମାଁ ସମଲେଇଙ୍କ ମନ୍ଦିରରେ ଭୋର ୪ଟା ରୁ ମାଁଙ୍କୁ ସ୍ନାନ କରାଇ ନୂଆବସ୍ତ୍ର ପରିଧାନ କରି ପୂଜକ ମାନେ ଗୁପ୍ତ ପୂଜା କରିଥିଲେ ।

ତେବେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସକାଳ ୯.୧୨ ରୁ ଟା ୯.୨୭ ମିନିଟ ମଧ୍ୟରେ ମୁଖ୍ୟ ପୁଜକଙ୍କ ଘରୁ ନବାନ୍ନ ମାଁ ଙ୍କ ମନ୍ଦିରକୁ ଯିବା ପରେ ନବାନ୍ନ ଲାଗି କରାଯାଇଛି । ପରେ ମନ୍ଦିର ପରିସରରେ ଥିବା ୧୧୫ ଗୋଟି ପାର୍ଶ୍ଵ ଦେବା ଦେବୀ ଙ୍କ ଠାରେ ମଧ୍ୟ ନବାନ୍ନ ଲାଗି କରାଯାଇଛି । ତେଵେ ମାଁଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଘରେ ନବାନ୍ନ ଭକ୍ଷଣ କରିଛନ୍ତି ସମ୍ବଲପୁର ବାସୀ । ଘରର ମୂରବୀ ଠାରୁ ନବାନ୍ନ ଗ୍ରହଣ କରି ମୁରବୀଙ୍କୁ ମୁଣ୍ତିଆ ମାରି ପରିବାରର ସମସ୍ତେ ଏକାଠି ବସି ନୂଆଁ ଖାଇଛନ୍ତି । ଉତ୍ସାହ ଉଦ୍ଦିପନାରେ ପାଳନ କରିଛନ୍ତି ଏହି ଗଣପର୍ବ ନୂଆଁଖାଇ ।

ତେବେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆଁଖାଇରେ ଏକତା ଓ ଭାଇଚାରା ଦେଖିବାକୁ ମିଳିଥାଏ l ପରିବାରରେ ଥିବା ସମସ୍ତ ସଦସ୍ୟ ଏକତ୍ରିତ ହୋଇ ନବାନ୍ନ ଏକା ସାଥିରେ ଖାଇଥିଲେ । ନିଜ ଘରେ ଲୋକେ ନିଜର ଇଷ୍ଟଦେବୀଙ୍କ ଠାରେ ପୁଜା କରି ସାରିବା ପରେ ଘରେ ସମସ୍ତେ ମିଳିତ ଭାବରେ ନବାନ୍ନ ଖାଇ ସମାଜକୁ ଏକତା ସୁତ୍ରରେ କିଭଳି ବାନ୍ଧି ହୁଏ ସେନେଇ ନିଆରା ବାର୍ତ୍ତା ଦେଇଥାନ୍ତି । ନୁଆଁଖାଇରେ କୌଣସି ଜାତି ପ୍ରଥା, ଧର୍ମ ନଥାଏ l ଏହି ଦିନ ସମସ୍ତେ ମାଁ ଙ୍କ ଠାରେ ପ୍ରସାଦ ପାଇଥାନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like