ଭଲ କାମ ପାଇଁ ପୁଣି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲାପାଳ

ନବରଙ୍ଗପୁର(କେନ୍ୟୁଜ୍): ଜିଲ୍ଲାପାଳ ହେବ ତ ଏମିତି। ରାସ୍ତାରେ ଗାଡି ଅଟକାଇ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ସୁବିଧା ଅସୁବିଧା ବୁଝିଲେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର। ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ପାତ୍ରି ପଞ୍ଚାୟତର ଦୃଷ୍ଟିହୀନ ଦମ୍ପତି ସମ୍ବାରୁ ଭତ୍ରା ଓ ସ୍ତ୍ରୀ ସୁକାନ୍ତି ଭତ୍ରା। ୩ ଦିନ ତଳେ ଉଭୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସା ପରେ ଘରକୁ ଫେରିବା ସମୟରେ କୌଣିସ ବସ୍‌ ସେମାନଙ୍କୁ ନଉଠାଇବାରୁ ଦୀର୍ଘ ୧୨କିଲୋମିଟର ଚାଲି ଚାଲି ନିଜ ଗାଁ ଖଇରାକୁ ଫେରୁଥିଲେ। ହେଲେ ବାଟରେ ଜିଲ୍ଲାପାଳ ଦୁଇ ଜଣଙ୍କୁ ଦେଖି ଗାଡି ଅଟକାଇଥିଲେ। ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସମ୍ବାରୁ ଓ ତାଙ୍କ ସ୍ତ୍ରୀ ମୁଣ୍ଡ ଗୁଞ୍ଜିବା ପାଇଁ ଜିଲ୍ଲାପାଳଙ୍କୁ ଘରଟିଏ ଦେବା ପାଇଁ ଅନୁରୋଧ କରିଥିଲେ। ତୁରନ୍ତ ଜିଲ୍ଲାପାଳ ସେମାନଙ୍କୁ ଇନ୍ଦିରା ଆବାସରେ ଘରଟିଏ ଦେବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ମଧ୍ୟ ଜିଲ୍ଲାପାଳ ଅଜିତ କୁମାର ଦୁର୍ଘଟଣାର ଶୀକାର ହୋଇ ରାସ୍ତାରେ ଛଟପଟ ହେଉଥିବା ଲୋକକୁ ନିଜ ଗାଡିରେ ବସାଇ ଡାକ୍ତରଖାନା ନେଇଥିଲେ। ଜିଲ୍ଲାପାଳଙ୍କ ଏହି ମହତ କାମ ପାଇଁ ଏବେ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି।