ଦିନତମାମ ଚାଷୀ-ପୋଲିସ ଛକାପଞ୍ଝା, ଶତାଧିକ ଆନ୍ଦୋଳନକାରୀ ଗିରଫ

ଭୁବନେଶ୍ବର : ଚାଷୀଙ୍କ ହକ୍ ପାଇଁ ଲଢେଇ। ସାମିଲ ହୋଇଥିଲେ ବହୁ ସଂଖ୍ୟାରେ ଚାଷୀ। ନବ ନିର୍ମାଣ କୃଷକ ସଂଗଠନ ଡାକରାରେ, ବିଭିନ୍ନ ଜିଲ୍ଲାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ ଚାଷୀ। ଖଣ୍ଡଗିରି ଛକରେ ସେମାନଙ୍କୁ ଅଟକାଇଥିଲା ପୋଲିସ। ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ହଂସପାଳରେ। କଟକ ଆଡୁ ହଜାର ହଜାର ଚାଷୀ ନିଜ ହକ୍ ପାଇଁ ରାଜଧାନୀ ମୁହାଁ ହୋଇଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଭୁବନେଶ୍ୱର ଭିତରକୁ ପଶିବାକୁ ଦେଇନଥିଲା। ଏ ହେଉଛି ଦୁଇଟି ସ୍ଥାନର ଦୃଶ୍ୟ । ଗୋଟିଏ ପଟେ ଖଣ୍ଡଗିରି ଆଉ ସେପଟେ ହଂସପାଳ। ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନିର୍ଣ୍ଣାୟକ ଲଢେଇ ପାଇଁ ଆନ୍ଦୋଳନ ଚଳାଇଥିବା ନର୍ବନିର୍ମାଣ କୃଷକ ସଙ୍ଗଠନର ଡାକରାରେ ଏକାଠି ହୋଇଥିଲେ ହଜାର ହଜାର ଚାଷୀ ।
ବଡ଼ ଚାଷୀ ଆନ୍ଦୋଳନ। କୌଣସି ପ୍ରକାର ଅପ୍ରିତିକର ପିରସ୍ଥିତି ଏଡ଼ାଇବାକୁ ଅଧିକ ସତର୍କ ଥିଲା ପୋଲିସ। ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ଫଳରେ କୌଣସି ସ୍ଥାନରେ ବି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇ ନଥିଲା। ଉଭୟ ହଂସପାଳ ଓ ତମାଣ୍ଡୋ ନିକଟରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଭୁବନେଶ୍ୱର ଉତ୍ତର ଓ ଦକ୍ଷିଣ ପଟୁ ଚାଷୀ ଭିତରକୁ ପ୍ରବେଶ କରିବା ଉଦ୍ୟମ କରୁଥିଲେ। ଉଭୟ ପ୍ରବେଶ ଦ୍ୱାରରେ ଜାରି ହୋଇଥିଲା ୧୪୪ ଧାରା। ତେବେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ହଂସପାଳଠାରୁ ଆରମ୍ଭରୁ ତମାଣ୍ଡୋ ଯାଏ ଗୋଟିଏ ପଟେ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।
ଚାଷୀଙ୍କ ହକ୍ ନେଇ ସରକାର ବି ସକାରାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି। ଚାଷ ଓ ଚାଷୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ତତ୍ପର । ଏଥିପାଇଁ ସ୍ୱତନ୍ତ୍ର କୃଷି ବଜେଟରେ କରାଯାଉଛି ନାନା ବ୍ୟବସ୍ଥା । ଚାଷୀଙ୍କୁ ସୁବିଧାରେ ଋଣ ପ୍ରଦାନ ପାଇଁ ନାନା ପଦକ୍ଷେପ ନେଉଛନ୍ତି ସରକାର । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆନ୍ଦୋଳନକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି । ଏହି ତିନି ଦଫା ଦାବି ଉପରେ ବିଚାର ପାଇଁ ଗଠନ ହୋଇଛି ମନ୍ତ୍ରୀ ସ୍ତରୀୟ କମିଟି । ଖୁବଶୀଘ୍ର ଟର୍ମ ଅଫ୍ ରେଫେରେନ୍ସ ଆସିବା ପରେ କମିଟି କାର୍ୟ୍ୟ କରିବ ।
ରାଜ୍ୟ ସରକାର ଚାଷୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ । ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ । ଏଥିପାଇଁ ଆନ୍ଦୋଳନରୁ ଓହରିଯିବାକୁ ଚାଷୀଙ୍କୁ ନିବେଦନ କରିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ସେହିପରି ସମବାୟ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ସବୁ ଦିଗକୁ ବିଚାର କରି ଉଚିତ ପଦକ୍ଷେପ ନେବେ ।
ତିନି ଦଫା ଦାବିରେ ପୁଣି ଥରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି । ଗତକାଲି ଅର୍ଥମନ୍ତ୍ରୀ ମଧ୍ୟ ଆନ୍ଦୋଳନକାରୀ ଚାଷୀଙ୍କ ସହ ଆଲୋଚନା କରିଥିଲେ ।