ଖୋର୍ଦ୍ଧା ନାଚୁଣୀ ହରିପୁର ଜଙ୍ଗଲରେ ସୁଟକେସରୁ ମୃତଦେହ ଉଦ୍ଧାର ଘଟଣା, ଏବେ ବି ଅନେକ ପ୍ରଶ୍ନବାଚୀ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ନାଚୁଣୀ ଥାନା ହରିପୁର ଜଙ୍ଗଲରେ ସୁଟକେସରୁ ମୃତଦେହ ଉଦ୍ଧାର ଘଟଣା ଏବେ ବି ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି । ଜେଲ ଯାଇଛନ୍ତି ଗିରଫ ୩ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ମୃତ ମନୋରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ମିଲି ଦାସ । ସେ ମର୍ଡର ପ୍ଲଟ୍‌ ରଚିଥିଲା । ସହାୟତା କରିଥିଲେ ସମ୍ପର୍କୀୟ ଭାଇ ମିଟୁ ଦାସ ଓ ସହଯୋଗୀ ବିକ୍ରମ ସାହୁ । ଏବେ ପ୍ରଶ୍ନ ଉଠୁଛି, ମନୋରଞ୍ଜନଙ୍କୁ ରାସ୍ତାରୁ ହଟାଇବା ପାଇଁ କେବେଠାରୁ ହୋଇଥିଲା ପ୍ଲାନ୍‌ ? କୁହାଯାଉଛି ହତ୍ୟା ଯୋଜନା ଦିନେ ଦୁଇ ଦିନର ନଥିଲା ।

ବହୁ ପୂର୍ବରୁ ପ୍ରି-ପ୍ଲାନ୍‌ କରିଥିଲେ କି ? କାରଣ ହତ୍ୟାର ୧୦ ଦିନ ପୂର୍ବରୁ ଚଣ୍ଡେଶ୍ୱରରେ ସମ୍ପର୍କୀୟଙ୍କ ଘରେ ଆସି ରହୁଥିଲେ ମନୋରଞ୍ଜନ ଓ ମିଲି । ପ୍ଲାନ୍‌ କରି ତାଙ୍କୁ ଚଣ୍ଡେଶ୍ୱର ଅଣାଯାଇଥିଲା କି ? ମିଲି ଜାଣିଥିଲେ ମଦରେ ଚୁର ରୁହନ୍ତି ମନୋରଞ୍ଜନ । ତେଣୁ ନିଶା ଦେଇ ଶ୍ୱାସରୁଦ୍ଧ କରି ମାରି ଦେଲେ । କେଉଁଠି ମାରିବେ ପ୍ଲାନ୍‌ ବି କରିଥିଲେ ମିଲି ? ମୃତଦେହକୁ କେଉଁଠି ଫିଙ୍ଗିବେ ଯୋଜନା କରିଥିଲେ । ସେଥିପାଇଁ ସ୍ୱାମୀ ସାଇଜର ସୁଟକେସ୍‌ ବିକ୍ରମ ହାତରେ କିଣାଇଥିଲେ ମିଲି । ହତ୍ୟା ପରେ ମନୋରଞ୍ଜନର ପଲସର ବାଇକରେ ମୃତଦେହକୁ ନେଉ ଜଙ୍ଗଲରେ ଫିଙ୍ଗିଥିଲେ ।

ସେତେବେଳେ ସାଙ୍ଗରେ ଯାଇଥିଲେ କି ମିଲି ? ନା କେବଳ ମିଟୁ ଦାସ ଓ ସହଯୋଗୀ ବିକ୍ରମ ସାହୁ ସୁଟକେସରେ ମନୋରଞ୍ଜନଙ୍କ ମୃତଦେହକୁ ଜଙ୍ଗଲରେ ଫିଙ୍ଗିଥିଲେ ? ପୋଲିସ ସୁଟକେସ୍‌ କିଣିଥିବା ଦୋକାନୀଙ୍କୁ ପଚରାଉଚରା କରିବ । ତାଙ୍କୁ ଆଣି ଟିଆଇ ପରେଡ୍‌ କରିପାରେ । ସିସିଟିଭିକୁ ହତ୍ୟାର ତଥ୍ୟ ପ୍ରମାଣ ଭାବରେ ନେଇପାରେ ପୋଲିସ । ସୁଟକେସ୍‌ ଦୋକାନୀଙ୍କୁ ସାକ୍ଷୀ କରିପାରେ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଜାରି ରଖିଛି । ସୁଟକେସ୍‌ ଓ ସିସିଟିଭି ଅଭିଯୁକ୍ତଙ୍କୁ ଧରାଇଦେଲା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.