ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନ ସମାଗମରେ ଶେଷ ହେଲା ନାଗେଶ୍ବରୀ ଦମକ୍ ସଭା ଯାତ୍ରା

ଲମତାପୁଟ- ପାହାଡ଼ ଉପରେ କିଏ ବୁଲିବାରେ ବ୍ୟସ୍ତ ତ କିଏ ଫଟୋ ଉଠାଇବାର ବ୍ୟସ୍ତ । ତା ସାଙ୍ଗକୁ ଯୁବକ ଯୁବତୀ ପାରମ୍ପରିକ ବାଦ୍ୟରେ ହାତକୁ ହାତ ଛନ୍ଦି ବାଦ୍ୟର ତାଳେ ତାଳେ ନାଚି ନାଚି ମଜା ନେଉଛନ୍ତି । ଏପଟେ କିଛି ଲୋକ ଚଟପଟା ଖାଦ୍ୟର ମଜା ନେଉଛନ୍ତି । ଏଠାରେ ଚାଲିଛି ମା’ ନାଗେଶ୍ବରୀଙ୍କ ଦମକ ସଭା ଯାତ୍ରା । ଏହି ଯାତ୍ରା ଯେ କେତେ ଲୋକଙ୍କ ପେଟକୁ ଦାନା ଯୋଗାଉଛି ନ କହିବା ଭଲ । କିଏ କାକୁଡ଼ି ବିକ୍ରି କରୁଛି ତ କିଏ ମିଠା ଜିନିଷ । କିଏ ଖରା ପାଇଁ ସରବତ ବିକ୍ରି କରୁଛି ତ କିଏ ଝିଅମାନଙ୍କ ମନଲାଖି କ୍ଲିପ୍ ଓ ବ୍ୟାଗ୍ ବିକ୍ରି କରୁଛି । ଦୋକାନମାନଙ୍କରେ ବି ଲୋକଙ୍କ ପ୍ରବଳ ଗହଳି ଲାଗିଛି ।

ପୂର୍ବ ପୁରୁଷରୁ ଚାଲି ଆସୁଛି ଏହି ଦମକ୍ ସଭା ଯାତ୍ରା । ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ପାଳିତ ହୋଇଥାଏ ଏହି ଯାତ୍ରା । ଏହି ଯାତ୍ରା ଦେଖିବା ପାଇଁ ଅଞ୍ଚଳର ଲୋକେ ସତେ ଯେପରି ଚାତକ ପରି ଅନେଇ ରହି ଥାଆନ୍ତି । ଯାତ୍ରା ଦେଖିବା ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶଗଡରୁ ମଧ୍ୟ ଲୋକଙ୍କ ସୁଅ ଛୁଟେ। ଏହା ସହିତ ଆଖପାଖ ବ୍ଲକର ବିଭିନ୍ନ ଗାଁରୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥାଏ । ଦିନ ବେଳେ ପାହାଡ଼ର ଶୀର୍ଷ ଦେଶରେ ଜନ ସମୁଦ୍ର ଦେଖାଯାଏ । ପୂଜକଙ୍କ କହିବା ଅନୁଯାୟୀ ଏହି ପର୍ବରେ ପ୍ରଥମେ ଏଠାରେ ବିହନ ବୁଣିବା ପାଇଁ ଅନୁକୂଳ କରାଯାଇ ଅକ୍ଷୟ ତୃତୀୟା ଦିନ ଜମିରେ ବିହନ ପକା ଯାଇଥାଏ।

କୋରାପୁଟ ଲମତାପୁଟର ନାଗେଶ୍ୱରୀ ପାହାଡ଼ । ପାହାଡ଼ର ଶୀର୍ଷ ଦେଶରେ ରହିଛି ମା’ଙ୍କ ପୀଠ । ଦମକ୍ ସଭା ଯାତ୍ରାରେ ଲୋକେ ଯାତ୍ରାରେ ବୁଲିବା ସହ ଧାଡ଼ି ଲଗାଇ ଛିଡ଼ା ହୋଇଥାନ୍ତି ମା’ଙ୍କ ଦର୍ଶନ ପାଇଁ । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଛି । ବର୍ଷକୁ ଥରଟେ ମା’ଙ୍କ ଏହି ଦର୍ଶନ ପାଇଁ ଜଗି ରହିଥାନ୍ତି ଭକ୍ତମାନେ । ମା’ଙ୍କର ଦୁର୍ଲ୍ଲଭ ଦର୍ଶନ ପାଇ ଖୁସିରେ ଫାଟି ପଡ଼ୁଛନ୍ତି ଭକ୍ତ ।

Also Read-ଐତିହାସିକ ଲଙ୍କାପୋଡ଼ି ଯାତ୍ରାର ସ୍ବତନ୍ତ୍ରତା, ତାଳ ପୋଥିରେ ଖୋଦିତ ରାମାୟଣର କଥା ବସ୍ତୁ