ଆସନ୍ତା ୨୩ ପରେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ

ଭୁବନେଶ୍ୱର : ସରିଲା ପ୍ରଥମ ଦିନରେ କଂଗ୍ରେସର ପିସିସି ସଭାପତି ଚୟନ ବୈଠକ । ଆସନ୍ତା ୨୩ ପରେ ଆସିବ ନୂତନ ସଭାପତିଙ୍କ ନାମ । ହାଇକମାଣ୍ଡଙ୍କ ନିଷ୍ପତିକୁ ସମସ୍ତେ ସମର୍ଥନ ଜଣାଇବୁ । ତୃଣମୂଳ ସ୍ତରରେ ଯିଏ କଂଗ୍ରେସକୁ ଅଧିକ ସୁଦୃଢ ଏବଂ ମଜବୁତ୍ କରିପାରିବ ସେଭଳି ନେତାଙ୍କୁ ଚୟନ କରାଯିବ । ଆଗାମୀ ପଞ୍ଚାୟତ ଓ ମହାନଗର ନିର୍ବାଚନରେ ଦଳକୁ ଯିଏ ଜିତେଇବାରେ ସମର୍ଥ ହେବ ସେହିଭଳି ନେତାଙ୍କୁ ଚୟନ କରାଯିବ ।

ରାଜ୍ୟ କଂଗ୍ରେସର ମୁଖିଆ ଖୋଜିବାକୁ ଏବେ କସରତ ଆରମ୍ଭ ହୋଇଛି । ଏନେଇ ରାଜ୍ୟ କଂଗ୍ରେସ ଭବନରେ ଘନ ଘନ ବୈଠକ ବସୁଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଚୟନ କରିବାକୁ ଏଆଇସିସି ପର୍ଯ୍ୟବେକ୍ଷକ ଚରଣଦାସ ମହନ୍ତ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ନଟରାଜନ ଓଡ଼ିଶା ଆସିଛନ୍ତି ।

ଏହି ଦୁଇ ନେତା କଂଗ୍ରେସ ବରିଷ୍ଠ ନେତା, କର୍ମୀଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ରେସରେ ଅନେକ ବରିଷ୍ଠଙ୍କ ସହ ଯୁବ ନେତା ବି ଅଛନ୍ତି। ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଭକ୍ତ ଚରଣ ଦାସ, ମହମ୍ମଦ ମୋକିମ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛି । ସଭାପତି ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି କଂଗ୍ରେସ ଭବନରେ ଅନେକ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଛି । ନିଜ ନିଜର ସମର୍ଥକଙ୍କୁ ଧରି ସମସ୍ତେ କଂଗ୍ରେସ ଭବନକୁ ଆସିଥିଲେ ।

ଏଆଇସିସି ପର୍ଯ୍ୟବେକ୍ଷଙ୍କୁ ଭେଟିବା ସହ ପ୍ରଦେଶ କଂଗ୍ରେସ କମିଟି ସଭାପତି ଚୟନ ପାଇଁ କଂଗ୍ରେସ ବରିଷ୍ଠ ନେତା ଆଲୋଚନା କରିଥିଲେ । ସୂଚନାଯୋଗ୍ୟ, ଜୁଲାଇ ୨୧ରୁ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି । ଝାଡ଼ଖଣ୍ଡ ନିର୍ବାଚନ ପରେ ହିଁ ପିସିସି ସଭାପତି ନେଇ ଚୂଡାନ୍ତ ନିଷ୍ପତି ଆସିବ ବୋଲି ଆଲୋଚନା ହେଉଛି ।

You might also like