ବଡ ବିଜନେସ୍‌ ପ୍ଲାନ୍‌ କରାଇ ୪୦ ଲକ୍ଷ ଟଙ୍କା ଠକିଦେଲେ ଧରମ ଭଉଣୀ ଭିଣୋଇ

କେନ୍ଦ୍ରାପଡା (କେନ୍ୟୁଜ) : ପାଟକୁରା ଥାନା ଅଞ୍ଚଳରେ ବଡଧରଣର ଠକେଇ । ଔଷଧ କମ୍ପାନୀ କରିବା ପାଇଁ ଧରମ ଭାଇଠାରୁ ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ଉତରା ଖଣ୍ଡ ରାଜ୍ୟର ହରିଦ୍ବାର ଜିଲ୍ଲାର ଦମ୍ପତି । ଠକାମିର ଶିକାର ହୋଇଥିବା ଔଷଧ ବ୍ୟବସାୟୀଙ୍କ ଘର ପାଟକୁରା ଥାନା ବଛରାଇ ଗାଁର ସନ୍ତୋଷ କୁମାର ପରିଡା । ସନ୍ତୋଷ ୨୦୨୩ ଅକ୍ଟୋବର ୩୧ ତାରିଖରେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ । ପରେ ହାଇକୋର୍ଟ କଟକରେ ଅଭିଯୋଗ କରିବା ପରେ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରାପଡା ଏସପି ଙ୍କୁ ତଦନ୍ତ କରିବା ପାଇଁ । କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶରେ ପାଟକୁରା ପୋଲିସ ତଦନ୍ତ କରି ଅଭିଯୁକ୍ତ ଧରମ ଭଉଣୀ ଓ ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସନ୍ତୋଷ ୨୦୧୪ ମସିହା ଠାରୁ ଔଷଧ ବ୍ୟବସାୟ କରୁଥିଲେ । ବିଭିନ୍ନ ବାହାର ରାଜ୍ୟ କମ୍ପାନିରୁ ଔଷଧ ଆଣି ନିଜ ଜିଲ୍ଲା ଓ ପାଖ ଆଖ ଜିଲ୍ଲାରେ ବ୍ୟବସାୟ କରନ୍ତି। ସନ୍ତୋଷ ୨୦୧୮ ମସିହା ଜାନୁଆରୀ ମାସରେ ଉତ୍ତରାଖଣ୍ଡର ହରିଦ୍ବାରର ଏକ ମାସକଟ୍ ଫାର୍ମା ସହିତ ଯୋଗାଯୋଗ ପରେ ହରିଦ୍ବାର ଯାଇଥିଲେ। ସେଠାରେ ନିଜ କେନ୍ଦ୍ରାପଡା ଜିଲ୍ଲାର ପଟାମୁଣ୍ଡାଇ ଚଉଦକୁଲାଟ ଥାନା ଅଞ୍ଚଳର ତମାଳ ଶାସନ ଗାଁର ବନମାଳୀ ମିଶ୍ର ଙ୍କ ପୁଅ ବିଭୁ କଲ୍ୟାଣ ମିଶ୍ର ସହିତ ପରିଚୟ ହୋଇଥିଲା। ବିଭୁ ସନ୍ତୋଷକୁ ନିଜ ହରିଦ୍ବାର ସ୍ଥିତ ଘରକୁ ଡାକି ନେଇଥିଲେ। ସେଠାରେ ବିଭୁଙ୍କ ସ୍ତ୍ରୀ ବିଣା ସନ୍ତୋଷକୁ ଧରମ ଭାଇ କରିଥିଲେ। ପରେ ଏକ ମେଡିସିନ କମ୍ପାନୀ ଖୋଲିବା ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଉତ୍ତାରାଖଣ୍ଡରେ ବିଭୁଙ୍କ ସାଙ୍ଗ ରାହୁଲ ଯୋସି ନାମକ ବ୍ୟକ୍ତିଙ୍କ ନିକଟକୁ ନେଇ ପରିଚୟ କରିଥିଲା ବିଭୁ। ରାହୁଲ ଉତ୍ତରା ଖଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କର ପିଏ ବୋଲି ପରିଚୟ ଦେଇ ପ୍ରଲୋଭିତ କରିଥିଲା ବିଭୁ ।ପରେ ଏକ କୋଟି ଟଙ୍କାର ଏକ ମେଡିସିନ କମ୍ପାନୀ ଖୋଲା ଯିବା ପାଇଁ ତିନି ବନ୍ଧୁଙ୍କ ମଧ୍ୟରେ ଫାଇନାଲ ହୋଇଥିଲା। ସନ୍ତୋଷ ୪୦ ଲକ୍ଷ ଟଙ୍କା ବିଭୁ ମିଶ୍ର ଓ ତାଙ୍କ ପତ୍ନୀ ବିଣା ମିଶ୍ରଙ୍କ ଆକାଉଣ୍ଟରେ ଡିପୋଜିଟ କଲେ। ପରେ କମ୍ପାନୀ ଖୋଲିବା ପାଇଁ ଡେରି ହେବାରୁ ସନ୍ତୋଷ ବାରମ୍ବାର ଫୋନ କଲେ ବିଭୁକୁ ।

ବିଭୁ ଟଙ୍କା ଫାଙ୍କିବା ସହ ସନ୍ତୋଷ ଙ୍କୁ ଫୋନ ମାଧ୍ୟମରେ ଧମକ ଦେଲା । ପରେ ସନ୍ତୋଷ ୨୦୨୩ ଅକ୍ଟୋବର ୩୧ ତାରିଖରେ ପାଟକୁରା ଥାନାରେ ଅଭିଯୋଗ କଲେ। ପରେ ନଭେମ୍ବର ୨୦୨୩/ ୨୦ ତାରିଖରେ କଟକ ହାଇକୋର୍ଟ ରେ ତିନି ଜଣଙ୍କ ନାମରେ ମାମଲା କଲେ।ହାଇକୋର୍ଟ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆଙ୍କୁ କେସ ତଦନ୍ତ ନିର୍ଦ୍ଦେଶ ଦେଲେ। ଏସପି କଟାରିଆଙ୍କ ନିର୍ଦ୍ଦେଶ କ୍ରମେ ପାଟକୁରା ପୋଲିସ ହରିଦ୍ବାର ଯାଇ ବିଣା ମିଶ୍ର କୁ ଓ ପଟାମୁଣ୍ଡାଇ ଅଞ୍ଚଳରୁ ବିଭୁ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମସ୍ତ ଟଙ୍କା ଫେରି ପାଇବା ଓ ଦୋଷୀ କୁ ଦଣ୍ଡିତ କରିବା ପାଇଁ ଦାବି କରିଛନ୍ତି ସନ୍ତୋଷ।

 

 

You might also like