ଦକ୍ଷିଣ ମୋଡ଼ ହେଲେ ନନ୍ଦିଘୋଷ ରଥ, ଗତକାଲି ଦୁଇ ରଥ ଦକ୍ଷିଣ ମୋଡ଼ କରାଯାଇଥିଲା

ପୁରୀ : ଶରଧାବାଲିରେ ଲାଗିଲା ନନ୍ଦିଘୋଷ  ।  ଶରଧାବାଲି ନାକଚଣା ଦ୍ୱରାରେ ତିନି ରଥ  ।  ଗତକାଲି ଦୁଇ ରଥ ଦକ୍ଷିଣ ମୋଡ଼ କରାଯାଇଥିବା ବେଳେ ଆଜି ସକାଳ ୯ ସମୟରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯାଇ ସରଧାବାଲି ନାକଚଣା ଦ୍ୱାରରେ ଲଗାଯାଇଛି  । ଗତକାଲି ତିନି ରଥକୁ ନାକଚଣା ଦ୍ୱାର ନିକଟକୁ ଆଣିବା ପାଇଁ ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲା ।

କିନ୍ତୁ ସନ୍ଧ୍ୟା ହୋଇଯିବାରୁ ଓ ବର୍ଷା ବାଧକ ସାଜିବାରୁ ନନ୍ଦିଘୋଷ ରଥ ଟଣା ହୋଇପାରିନଥିଲା । ରଥ ବିଜେ ପାଇଁ ଶରଧାବାଲିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ବାଲି ବିଛାଯାଇଛି । କାଲି ପୂର୍ବାହ୍ନରେ ମୁଖ୍ୟ ବିଶ୍ବକର୍ମା, ଭୋଇ ସେବକ, କମାର ସେବକ, ଇଞ୍ଜିନିୟର ଓ ରଥ ଯାଞ୍ଚ କମିଟିଙ୍କ ତତ୍ତ୍ବାବଧାନରେ ରଥର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଏପଟେ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବେ । ଏହି ପରମ୍ପରା ରହିଆସିଛି ।