ଚାଷୀଙ୍କ ପରେ ମହିଳା : ଭୋଟ୍ ପାଇଁ ମହିଳାମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କ ପ୍ରୟାସ

ନୂଆଦିଲ୍ଲୀ : ଫୋକସ୍‌ରେ ମହିଳା । ସେମାନଙ୍କ ସହ ସିଧା ସମ୍ପର୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ କଥା ହୋଇଛନ୍ତି । କହିଛନ୍ତି, ତୃଣମୂଳ ସ୍ତରରେ ମହିଳାଙ୍କ ଦ୍ୱାରା ବ୍ୟାପକ ପରିବର୍ତ୍ତନ ହୋଇଛି । ଗ୍ରାମାଞ୍ଚଳ ବିକାଶରେ ମହିଳାଙ୍କ ପ୍ରମୁଖ ଭୂମିକା ରହିଛି । ତାଙ୍କ ସରକାର ସମୟରେ ୪ ଗୁଣା ଅଧିକ ମହିଳା ଏସ୍‌ଏଚ୍‌ଜିରେ ସାମିଲ ହୋଇଛନ୍ତି । ପ୍ରତି କ୍ଷେତ୍ରରେ ମହିଳାଙ୍କ ଭାଗିଦାରି ବଢ଼ିଛି । ମହିଳାଙ୍କ ଜରିଆରେ ମୋଦି ଦେଶବାସୀଙ୍କୁ ତାଙ୍କର ବାର୍ତ୍ତା ଦେବାକୁ ଚାହିଁଛନ୍ତି ।

ଏପଟେ ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନସମ୍ପର୍କ ଅଭିଯାନ ଜାରି ରହିଛି । ବିଭିନ୍ନ ବର୍ଗଙ୍କ ସିଧା କଥା ହେଉଛନ୍ତି । ସଚେତନତା କାର୍ଯ୍ୟକ୍ରମ ଲାଗି ପ୍ରତିଦିନ କୃଷକ ପ୍ରତିନିଧି ଭୁବନେଶ୍ୱର ଆସୁଛନ୍ତି । ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏଥିରେ ମଧ୍ୟ ମହିଳାଙ୍କ ଗୁରୁତ୍ୱ ବାରି ହୋଇ ପଡୁଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । ମିଶନ ଶକ୍ତିର କାର୍ଯ୍ୟକାରିତା ନେଇ ପଚାରି ବୁଝୁଛନ୍ତି । ରାଜ୍ୟରେ ବିଜେଡିର ସଫଳତା ପଛରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମିଶନ ଶକ୍ତି ଜରିଆରେ ରାଜ୍ୟ ସରକାର ମହିଳାଙ୍କ ପାଖରେ ପହଞ୍ଚି ପାରିଛନ୍ତି । କୁହାଯାଉଛି, ୨୦୧୪ରେ ବିଜେଡି ସଫଳତା ପଛରେ ମହିଳାଙ୍କ ସମର୍ଥନ ପ୍ରମୁଖ କାରଣ ଥିଲା। ରାଜ୍ୟରେ ମିଶନ ଶକ୍ତି ଅଭିଯାନରେ ପ୍ରାୟ ୫୦ ଲକ୍ଷ ମହିଳା ସାମିଲ ଅଛନ୍ତି।

ଦେଶ ହେଉ କି ରାଜ୍ୟ, ମହିଳା ଭୋଟର ସଂଖ୍ୟା ପ୍ରାୟ ଅଧା । ମହିଳାଙ୍କ ମନକୁ ଛୁଇଁ ପାରିଲେ ରାଜନୈତିକ ଦଳଙ୍କୁ ସଫଳତା ଛୁଇଁବ । ଏହି ମନ୍ତ୍ର ଭଲଭାବେ ବୁଝନ୍ତି ମୋଦି ଓ ନବୀନ । ତେଣୁ ମହିଳା ଗୋଷ୍ଠୀଙ୍କ ସହ ସିଧା ବାର୍ତ୍ତାଳାପ କରି ଆଗାମୀ ନିର୍ବାଚନ ପାଇଁ ନିଜ ସଫଳତା ପକ୍କା କରିବାକୁ ଚେଷ୍ଟା କରୁଛନ୍ତି ନେତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.