୮ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ , ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବେ

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁୟାରୀ ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ।  ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ୮ତାରିଖ ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିବେ ।  ରାଜଭବନରେ ରାତ୍ର ରହଣୀ କରିବେ । ୯ ତାରିଖ ସକାଳ ୯ଟା ୪୫ରେ ରାଜଭବନରୁ ଜନତା ମଇଦାନ ଯିବେ ନରେନ୍ଦ୍ର ମୋଦି । ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ ।  ଦିନ ୧୦ଟାରୁ ୧୧ଟା ୩୦ ପର୍ୟ୍ୟନ୍ତ ପ୍ରବାସୀ ଭାରତୀୟଙ୍କ ସହ ସମୟ ବିତାଇବେ ମୋଦି ।  ଏହାପରେ ଦିନ ୧୧ଟା ୫୫ରେ ଦିଲ୍ଲୀ ଅଭିମୁଖେ ବାହାରି ଯିବେ ।

ସୂଚନା ଯୋଗ୍ୟ ୮ ତାରିଖରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ । ଏହି ୩ ଦିନିଆ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯୋଗ ଦେବେ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବିମାନବନ୍ଦରରେ ଏବଂ ଜନତା ମଇଦାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବା ସହ ଅତିଥି ଓ ଭିଭିଆଇପିଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା, ରୁଟ ଲାଇନ ଏବଂ ସେହି ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପି ଖୁରାନିଆ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଡିଜିପି ଖୁରାନିଆ ସମୀକ୍ଷା କରିଛନ୍ତି । କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ୬୫୦ ବରିଷ୍ଠ ପୁଲିସ ଅଧିକାରୀ ଦାୟିତ୍ୱରେ ରହିବେ ।  ସେହିପରି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ମଧ୍ୟ ସଜାଗ ରହିବେ ।