କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟ ସରକାର ଆଣିବେ ଖାଦ୍ୟ ସୁରକ୍ଷା ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଣ ବିଭାଗର ପ୍ରସ୍ତାବ

ଭୁବନେଶ୍ବର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-ଏନ୍ଏଫ୍ଏସ୍ଏରୁ ବାଦ୍ ପଡିଛନ୍ତି ରାଜ୍ୟର ୩୪ ଲକ୍ଷ ଯୋଗ୍ୟ ହିତାଧାକାରୀ । ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ମୋଟ୍ ଜନ ସଂଖ୍ୟା ୪କୋଟି ୧୯ ଲକ୍ଷ ୭୪ ହଜାର ୨୧୮ । ଏଥିରୁ ୩ କୋଟି ୨୬ ଲକ୍ଷ ୪୧ ହଜାର ୮ଶହ ହିତାଧିକାରୀ ଏନ୍ଏଫ୍ଏସ୍ଏରେ ସାମିଲ ହୋଇଛନ୍ତି । ୨୦୧୧ ତୁଳନାରେ ୨୦୧୮ ଏପ୍ରିଲ ପର୍ୟ୍ୟନ୍ତ ଜନସଂଖ୍ୟା ୧୦. ୨୨ ପ୍ରତିଶତ ବୃଦ୍ଧି ଘଟିଛି । ପ୍ରାୟ ୩୪ ଲକ୍ଷ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଛନ୍ତି । ଏନେଇ ବାରମ୍ବାର କେନ୍ଦ୍ରକୁ ଅନୁରୋଧ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ତେବେ କେନ୍ଦ୍ର ପକ୍ଷରୁ କୌଣସି ଉତ୍ତର ମିଳୁନାହିଁ । ତେଣୁ ରାଜ୍ୟ ସରକାର ଏନେଇ ଏକ ଆଇନ ଆଣିବାକୁ ଯାଉଛନ୍ତି । ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ର ।
ରାଜ୍ୟ ସରକାରଙ୍କ ଏଭଳି ପ୍ରସ୍ତାବକୁ ସମାଲୋଚନା କରିଛନ୍ତି ବିରୋଧୀ । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ଠିକ୍ ଭାବେ ଲାଗୁ କରି ନପାରିବା ଓ ଦଳୀୟ କର୍ମୀଙ୍କୁ ଏନ୍ଏଫ୍ଏସ୍ଏରେ ସାମିଲ କରୁଥିବା ବିଜେପି ଅଭିଯୋଗ କରିଛି । ସେହିପରି ଏହା ଏକ ନିର୍ବାଚନୀ ଚାଲ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତୋଦୟ ଯୋଜନାରେ ହିତାଧିକାରୀଙ୍କୁ କିଲୋ ପ୍ରତି ଏକ ଟଙ୍କା ମୂଲ୍ୟରେ ୩୫ କେଜି ଓ ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣାରେ ୧୦ କେଜି ଚାଉଳ ଦିଆଯାଉଛି ।