ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ପ୍ରଶାସନ ନଶୁଣିବାରୁ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଲା ସଚେତନ ନାଗରିକ ମଞ୍ଚ

ଯାଜପୁର (କେ ନ୍ୟୁଜ ) : ଯାଜପୁର ଜିଲ୍ଲା ୫୩ ନଂ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ଚଣ୍ଡିଖୋଲ ଡୁବୁରୀକୁ ସଂଯୋଗ କରୁଥିବା ଏହି ବ୍ୟସ୍ତବହୁଳ ରାଜପଥର କବାଟବନ୍ଧ ଠାରେ ଥିବା ବ୍ରାହ୍ମଣୀ ବ୍ରିଜ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ। ପ୍ରତ୍ୟହ ଏଠାରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନୀ ହେଉଛି। ଏନେଇ ଅଞ୍ଚଳବାସୀ ତରଫରୁ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ହେଲେ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି।

ତେବେ କିଛି ସୁଫଳ ନ ମିଳିବାରୁ ଆଜି ଏଠାକାର ସଚେତନ ନାଗରିକ ମଞ୍ଚର ଯୁବକମାନେ ଏହି ରାସ୍ତାର ମରାମତି ପାଇଁ ଅଣ୍ଟା ଭିଡିଛନ୍ତି। ମଞ୍ଚର ଯୁବକମାନେ ନିଜସ୍ୱ ଉଦ୍ୟମରେ ଜାତୀୟ ରାଜପଥର ଖାଲଖମାକୁ କଂକ୍ରିଟ ଢଳେଇ କରିଛନ୍ତି। ଏଥିସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି କରିବା ସହ ସଡକ ସୁରକ୍ଷା ସଂପର୍କରେ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ଲୋକମାନଙ୍କୁ ସଚେତନ କରାଇଛନ୍ତି। ଚଣ୍ଡିଖୋଲ- ଡୁବୁରୀ ଜାତୀୟ ରାଜପଥକୁ ଚାରିଥାକିଆ ସହ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଦାବି କରିଛନ୍ତି। ମଞ୍ଚର ଏହି ଦାବି ପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ପଦକ୍ଷେପ ନ ନେଲେ ଅର୍ଥନୈତିକ ଅବରୋଧ କରିବାକୁ ମଞ୍ଚର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।