ଉଦ୍‌ଯାପିତ ହେଲା କିଟରେ ସପ୍ତାହବ୍ୟାପୀ ଚାଲିଥିବା ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ

କେନ୍ୟୁଜ୍(ବ୍ୟୁରୋ):କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲରେ ଗତ ୨୨ ତାରିଖରୁ ଚାଲିଥିବା ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ସପ୍ତାହବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ସୋମବାର ଉଦ୍‌ଯାପିତ ହୋଇଛି । ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଆଜାଦ୍‌ କି ଅମ୍ରିତ୍‌ ମହୋତ୍ସବ ପାଳନ ଅବସରରେ ଏହି ବିଜ୍ଞାନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ପ୍ରମୁଖ ସାଇଣ୍ଟିଫିକ୍‌ ଅଫିସରଙ୍କ କାର୍ଯ୍ୟାଳୟ, ବିଜ୍ଞାନ ପ୍ରସାର, ଓଡ଼ିଶା ସରକାର ଏବଂ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଏବଂ ଭାରତ ସରକାରଙ୍କ ଡ଼ିଏସ୍‌ପି, ଡ଼ିବିଟି, ସିଏସଆଇଆର, ଏମ୍‌ଓଇଏସ୍‌, ଡ଼ିଏଇ, ଡ଼ିଓଏସ୍‌, ଆଇସିଏମ୍‌ଆର, ଏଆଇସିଟିଇ ଏବଂ ଡ଼ିଆରଡିଓ ସହଯୋଗରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା । ଏହାଛଡ଼ା ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ, ଓଡ଼ିଶା ବିଜ୍ଞାନ ଏକାଡ଼େମୀ, ଭୁବନେଶ୍ୱର ସିଟି ନଲେଜ୍‌ ଇନୋଭେସନ କ୍ଲଷ୍ଟର ଏବଂ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ମଧ୍ୟ ଏହି ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ଆୟୋଜନରେ ସହଯୋଗ କରିଥିଲେ ।

ଆଜି ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଇନଷ୍ଟିଚ୍ୟୁଟ୍‌ ଅଫ ଫିଜିକ୍ସର ନିର୍ଦ୍ଦେଶକ ଡ଼.କେ କେ ନନ୍ଦ, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢୀ, ସିପେଟ୍‌ର ମୁଖ୍ୟ ପରିଚାଳକ ଡ଼. ପି ସି ପାଢୀ, ଚାନ୍ଦିପୁରସ୍ଥିତ ଆଇଟିଆରର ସଂଯୋଜକ ଡ଼. ଏସ୍‌ ହାଜରା, ଓଡ଼ିଶା ବିଜ୍ଞାନ ଏକାଡ଼େମୀର ସଭାପତି ଡ଼. ବିଭୂତିଭୂଷଣ ମିଶ୍ର, କିଟ୍‌ ବିଶ୍ୱବିଦ୍ୟାଳୟର ଆର୍‌ ଆଣ୍ଡ୍‌ ଡ଼ିର ମହାନିର୍ଦ୍ଦେଶକ ଡ଼. ମୃତ୍ୟୁଞ୍ଜୟ ସୁଆର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ସପ୍ତାହବ୍ୟାପୀ ଚାଲିଥିବା ଏହି ପ୍ରଦର୍ଶନୀ ଓ ବିଜ୍ଞାନ ମହୋତ୍ସବରେ ଓଡ଼ିଶାର ବିଭିନ୍ନ ସ୍କୁଲର ୧୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କିତ ରଚନା ଲିଖନ, ଗୀତ, ତର୍କ, ନାଟକ ଏବଂ ପୋଷ୍ଟର ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଉଦଯାପନୀ ଉତ୍ସବରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।