ରାଜନଗର : ଆଜଠୁ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା । ପ୍ରତିବର୍ଷ ପରି ଚଳିତ ବର୍ଷ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ । ସକାଳ ୬ଟାରୁ ୯ ଟା ଯାଏ ଗଣନା କରିବେ ୪ଟି ଟିମ୍ । ପ୍ରତି ଟିମରେ ୫ ଜଣ ଲେଖାଏଁ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। କନିକା ରେଞ୍ଜ ର ମଠଆଡିଆ, ଲଷ୍ମୀପ୍ରସାଦ ଡିଆ , ଦୁର୍ଗାଗାପ୍ରସାଦ ଡିଆ ଓ ରାଜନଗର ରେଞ୍ଜର ବାଲିଡିଆରେ ପକ୍ଷୀ ଗଣନା କରାଯିବ ।
ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଗଣନା କରାଯିବା ନେଇ ବନ ବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି । ବର୍ଷା ଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ସୁରକ୍ଷିତ ମନେ କରି ଭିତରକନିକା ଜାତୀୟ ଉଦ୍ୟାନକୁ ବାଛିଥାନ୍ତି ଦେଶୀୟ ପକ୍ଷୀ ।
ଖୋଳା ନଦୀ ମୁହାଣ, ବ୍ରାହ୍ମଣୀ ନଦୀ ପଠା, ଆଦିରେ ଏହି ଦେଶୀୟ ପକ୍ଷୀ ବସବାସ କରୁଥିବା ବେଳେ ବନି, ଗୁଆ, କେରୁଅ, ଓରୁଅ ଭଳି ଗଛ ମାନଙ୍କର କୋରଡ଼ରେ ଏହି ଦେଶୀୟ ପକ୍ଷୀ ବସା ବାନ୍ଧିଥାଆନ୍ତି । ତେବେ ଜାନୁଆରୀ ମାସରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଥିବା ବେଳେ ସେପ୍ଟେମ୍ବର ମାସରେ ଦେଶୀୟ ପକ୍ଷୀ ଗଣନା କରାଯାଇଥାଏ ।