ଭୁବନେଶ୍ବର (କେନ୍ଯୁଜ୍) : ପୁଣି ଏକ ସର୍ଭେ, ପୁଣି ଏକ ନମ୍ବର ନବୀନ ପଟ୍ଟନାୟକ। ଦେଶରେ ଶ୍ରେଷ୍ଠ ୫ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିଏ। ଏହାକୁ ନେଇ ତୁଳନାତ୍ମକ ଚିତ୍ର ଦେଖାଇଛି ଇଣ୍ଡିଆ ଟୁଡେ। ୨୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରସ୍ତୁତ ତାଲିକାରେ ସବୁଠାରୁ ଲୋକପ୍ରିୟ ହୋଇଛନ୍ତି ନବୀନ ପଟ୍ଟନାୟକ।
ଇଣ୍ଡିଆ ଟୁଡେର ଆଉ ଏକ ସର୍ଭେ। ପଲିଟିକାଲ ଷ୍ଟକ୍ ଏକ୍ସଚେଞ୍ଜରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସମୀକ୍ଷା। ଯେଉଁଥିରେ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ହୋଇ ତୁଳନା। ସେହି ତୁଳନାତ୍ମକ ସମୀକ୍ଷାରେ ଟପ୍ ଫାଇଭ୍ ସିଏମ୍ ତାଲିକା ପ୍ରସ୍ତୁତ ହୋଇଛି। ପଞ୍ଚମ ସ୍ଥାନରେ ଅଛନ୍ତି, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। ୪୮ ପ୍ରତିଶତ ଲୋକ ଚାହୁଁଛନ୍ତି ସେ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଚତୁର୍ଥ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖଣ୍ଡୁ। ତାଙ୍କୁ ମିଳିଛି ୫୧ ପ୍ରତିଶତ ସମର୍ଥନ। ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ୫୨ ପ୍ରତିଶତ ସହ ଅଛନ୍ତି ତୃତୀୟ ସ୍ଥାନରେ। ଦ୍ୱିତୀୟରେ ଅଛନ୍ତି ମମତା ବାନାର୍ଜୀ। ୫୩ ପ୍ରତିଶତ ଲୋକ ଚାହୁଁଛନ୍ତି ସେ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ନବୀନ ପଟ୍ଟନାୟକ। ୫୯ ପ୍ରତିଶତ ଲୋକ ଚାହୁଁଛନ୍ତି ସେ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତୁ।
ଜାତୀୟ ଗଣମାଧ୍ୟମରେ ବିଭିନ୍ନ ସର୍ଭେ ହୋଇଛି। ଯେଉଁଠି ବି ଲୋକପ୍ରିୟତାର ମାପକାଠି ରହିଛି ସେହି ସ୍ଥାନରେ ନବୀନ ପଟ୍ଟନାୟକ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ ହୋଇଛନ୍ତି। କିଛି ଦିନ ତଳେ ଇଣ୍ଡିଆ ଟୁଡେ ସର୍ଭେ କହିଥିଲା, ୪୪% ସରକାରଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି। ୧୯% ସରକାରଙ୍କ କାମରେ ସନ୍ତୁଷ୍ଟ ନୁହନ୍ତି। ସର୍ଭେରେ ୨୧% ପ୍ରତିଶତ ସହ ବହୁ ପଛରେ ଦ୍ୱିତୀୟ ସ୍ଥାନରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ।